ରାଜଧାନୀକୁ ଲମ୍ବିଛି କନ୍ଧମାଳର ଚୋରା ଗଞ୍ଜେଇ ଚେର

ରାଜଧାନୀକୁ ଲମ୍ବିଛି କନ୍ଧମାଳର ଚୋରା ଗଞ୍ଜେଇ ଚେର

ଏଠାରୁ ଟ୍ରେନ, ବସ, ଟ୍ରକ ଓ କାରରେ ରାଜ୍ୟ ବାହାରକୁ ଚାଲାଣ
ଛୋଟ ମୋଟକୁ ଧରି ବାହାବାହା ନେଉଛି କମିଶନରେଟ୍ ପୁଲିସ
ବାଟିକା ନିକଟରୁ ୪ ବେପାରୀ ଗିରଫ; ୨୪ କେଜି ଗଞ୍ଜା ଜବତ
ଭୁବନେଶ୍ୱର, ୧୫ା୧୧ : ରାଜଧାନୀକୁ ଲମ୍ବିଛି କନ୍ଧମାଳର ଚୋରା ଗଞ୍ଜେଇ ଚେର । ଭାୟା ଭୁବନେଶ୍ୱର ଦେଇ ବିଭିନ୍ନ ବସ, ଟ୍ରେନ୍, ଟ୍ରକ୍ ଓ କାର ଯୋଗେ ରାଜ୍ୟ ବାହାରକୁ ହେଉଛି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ । ବରମୁଣ୍ଡା ବସଷ୍ଟାଣ୍ଡ ପାଲଟିଛି ଗଞ୍ଜେଇ ଡ଼ିପୋ । ବିଭିନ୍ନ ଜିଲ୍ଲାରୁ ଆସୁଥିବା ବସ ମାନଙ୍କରେ ରାତାରାତି ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଆସି ବରମୁଣ୍ଡା ବସଷ୍ଟାଣ୍ଡ, ତମାଣ୍ଡୋ, ଖଣ୍ଡଗିରି ଓ ଖୋର୍ଦ୍ଧା ପିତାପଲ୍ଲୀ ଠାରେ ଓହ୍ଲାଇ ସେଠାରୁ ବାଇକ, ଅଟୋ ଓ କାର ଯୋଗେ ବିଭିନ୍ନ ବସ୍ତି ଓ ଭଡ଼ା ଘରକୁ କରାଯାଉଛି ଚାଲାଣ । ସେଠାରେ ସମୟ କାଳ ପାତ୍ର ଓ ପୁଲିସର ଗତିବିଦ୍ଧିକୁ ନଜର ରଖି ବିଭିନ୍ନ ଅଭିନବ ଉପାୟରେ କରାଯାଉଛି ରାଜ୍ୟ ବାହାରକୁ ଚାଲାଣ । ହେଲେ କମିଶନରେଟ୍ ପୁଲିସ, ଏସଟିଏଫ୍, ଅବକାରୀ ପୁଲିସ ନିଦ୍ରାରେ । ଛୋଟ ମୋଟ ବେପାରୀଙ୍କୁ ଧରି ମୋଟା ମାଲକୁ ହରଣ ଚାଲ କରାଯାଉଥିବା ଜଣାପଡ଼ିଛି । କିନ୍ତୁ ପୂର୍ବରୁ ସ୍ପେଶାଲ କ୍ରାଇମ ୟୁନିଟ୍ ଟିମ ଲଗାତାର ଭାବେ ଗଞ୍ଜେଇ ମାଫିଆ, ବେପାରୀଙ୍କୁ ଧରିବା ସହ ସେମାନଙ୍କ ଠାରୁ କୁ୍ୟଣ୍ଟାଲ କୁ୍ୟଣ୍ଟାଲ ଗଞ୍ଜେଇ ଜବତ କରିବାରେ ସଫଳତା ହାସଲ କରିଥିଲା । ସେହିଭଳି କନ୍ଧମାଳରୁ ଲଗାତାର ଭାବେ ଚୋରାରେ ଗଞ୍ଜେଇ ଆଣି ରାଜଧାନୀରେ ବିକ୍ରି କରୁଥିବା ୪ଜଣ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ କୋଳଥିଆ ଜୟଦେବ ବାଟିକା ନିକଟରୁ ଗିରଫ କରିଛି ଭରତପୁର ଥାନା ପୁଲିସ । ସେମାନଙ୍କ ଠାରୁ ୨୪ କେଜି ଗଞ୍ଜେଇ ଓ ଏକ ଅଟୋ ଜବତ କରାଯାଇଛି  । ଗିରଫ ୪ ଅଭିଯୁକ୍ତ ହେଲେ, ଜଟଣୀ ଅଞ୍ଚଳର ଏମଡ଼ି ସାମସର, ଡୁମୁଡୁମାର ରଘୁନାଥ ନଗରର ରାକେଶ ବେହେରା, କନ୍ଧମାଳ ଜିଲ୍ଲା ଫୁଲବାଣୀର ସୁରଜିତ୍ ମଣ୍ଡଳ ଓ କଟକ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ସାହୁ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଗୁରୁବାର ଦିନ ସନ୍ଧ୍ୟା ସମୟରେ ଏକ ଅଟୋରେ ୪ ଜଣ ଯୁବକ ୪ଟି ବସ୍ତାରେ କନ୍ଧମାଳରୁ ବସରେ ଚୋରା ଗଞ୍ଜେଇ ଆଣି କୋଳଥିଆ ଜୟଦେବ ବାଟିକା ରାସ୍ତାରେ ଥିବା କେବି ଗାର୍ଡେନ ନିକଟରେ ଗ୍ରାହକ ଅପେକ୍ଷାରେ ଥିଲେ । ଏହି ଖବର ଭରତପୁର ଥାନାଧିକାରୀ ଖବର ପାଇ ଥାନାର ଏକ ସ୍ପେଶାଲ ଟିମକୁ ପଠାଇ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ, ଘଟଣା ସ୍ଥଳରୁ ୪ ଅଭିଯୁକ୍ତ ଅଟୋ ଛାଡି ଦୌଡ଼ିବା ଆରମ୍ଭ କରିଥିଲେ । ଏହି ସମୟରେ ପୁଲିସ ଟିମ ମଧ୍ୟ ସମସ୍ତଙ୍କୁ ପିଛା କରି ଗୋଡାଇ ଧରିବାରେ ସଫଳ ହୋଇଥିଲେ । ପରେ ଅଟୋକୁ ତଲାସି ବେଳେ ଗାଡି ଭିତରୁ ୪ଟି ବସ୍ତାରେ ୨୪ କେଜି ଗଞ୍ଜେଇ ଜବତ କରାଯାଇଥିଲା । ସେମାନଙ୍କ ଥାନାକୁ ନେଇ ପଚରା ଉଚରା ବେଳେ ଜଣାପଡ଼ିଥିଲା ଏମାନେ ହେଉଛନ୍ତି ପୁରୁଣା ବେପାରୀ । ବହୁବାର କନ୍ଧମାଳରୁ ବିଭିନ୍ନ ଉପାୟରେ ଗଞ୍ଜେଇ ରାଜଧାନୀକୁ ଆଣି ଏଠାରୁ ଅଟୋ, ବାଇକ ସାହାର୍ଯ୍ୟରେ ବିଭିନ୍ନ ବସ୍ତି, ଦୋକାନ, ଅଟୋ ଚାଳକ ଓ ଗ୍ରାହକଙ୍କୁ କିଲୋପିଛା ୫ରୁ ୮ ହଜାର ଟଙ୍କାରେ ବିକ୍ରି କରିଆସୁଥିଲେ । ହେଲେ ପୁଲିସ ଏମାନଙ୍କୁ କେବେ ଧରିବାରେ ସଫଳ ହୋଇନଥିବା ବେଳେ ଆଜି ସମସ୍ତଙ୍କୁ ଗିରଫ କରିଛି । ଏନେଇ ଏକ ଗଞ୍ଜେଇ ବିକ୍ରିଜନିତ ମାମଲା ରୁଜୁକରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।