ଜମି ଦେବାକୁ କହି ମହିଳାଙ୍କ ଠାରୁ ୫ ଲକ୍ଷ ଚଳୁ ; ଠକ ଗିରଫ
ଭୁବନେଶ୍ୱର, ୧୮ା୪ : ମହିଳାଙ୍କୁ ଘାଟିଆ ଅଞ୍ଚଳରେ ଏକ ଜମି ଦେବାକୁ କହି ୫ ଲକ୍ଷ ଟଙ୍କା ଚଳୁ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ୨୨୬ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଗୁରୁବାର ଦିନ ବାଲେଶ୍ୱର ଜିଲ୍ଲାରୁ ଠକକୁ ଗିରଫ କରିଛି ଭରତପୁର ଥାନାର ସ୍ପେଶାଲ ଟିମ । ଗିରଫ ଅଭିଯୁକ୍ତ ହେଲା, ବାଲେଶ୍ୱର ଜିଲ୍ଲା ପଦ୍ମପୁରର ରଞ୍ଜନ ଜେନା । ପରେ ଦଫା ୪୨୦ରେ କୋର୍ଟ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ତା ୨୫.୦୮.୨୦୨୩ ରିଖ ଦିନ ଅଭିଯୋଗକାରିଣୀ ଅଭିଯୁକ୍ତ ସହିତ ସାକ୍ଷାତ ହୋଇଥିବା ବେଳେ, ଅଭିଯୁକ୍ତ ଜଣଙ୍କ ଭରତପୁର ଥାନା ଅଧିନ ଘାଟିକିଆ ଅଞ୍ଚଳରେ ଥିବା ଏକ ପ୍ଲଟ୍ କିଣିବାକୁ ପ୍ରସ୍ତାବ ଦେଇଥିଲେ । ଏହି ଅଲୋଚନା ପରେ ଅଭିଯୋଗକାରିଣୀ ନିଜ କମ୍ପାନୀ ନାମରେ ଥିବା ଆକାଉଣ୍ଟରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ପଠାଇଥିଲେ । ଟଙ୍କା ପାଇବା ପରେ ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳ ଛାଡି କୁଆଡେ ଫେରାର ହୋଇଯାଇଥିଲା । ପରେ ସେ ଗତ ତା ୫.୧୦.୨୦୨୩ ରିଖ ଦିନ ଅଭିଯୋଗକାରିଣୀଙ୍କୁ ସାକ୍ଷାତ କରି ଏକ ଚୁକ୍ତି ପ୍ରସ୍ତୁତ କରିବା ସହିତ ଉକ୍ତ ପ୍ଲଟକୁ ତାଙ୍କ ନାମରେ ରେଜିଷ୍ଟ୍ରେଶନ କରିପାରିବେନି ବୋଲି କହିବା ସହ ଟଙ୍କା ଫେରାଇବା ପାଇଁ ଏକ ୫ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ । ତା ପରେ ପୁଣି ସେ ସେହି ଅଞ୍ଚଳରୁ ଫେରାର ହୋଇଯାଇଥିଲେ । ଅଭିଯୋଗକାରିଣୀ ଜଣଙ୍କ ଅଭିଯୁକ୍ତ ଦେଇଥିବା ଚେକକୁ ବ୍ୟାଙ୍କ୍ ରେ ଲଗାଇବା ପରେ ଚେକ ଟି ବାଉନ୍ସ ହୋଇଯାଇଥିଲା । ଏନେଇ ମହିଳା ଜଣଙ୍କ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରିଛି ।