ଦେବୀଙ୍କ ଷୋଳପୂଜା

ଦେବୀଙ୍କ ଷୋଳପୂଜା


ଡ.ତପନ କୁମାର ପାଳ  : ପିତୃପକ୍ଷର ଅନ୍ତ ସହିତ ଦେବୀ ପକ୍ଷର ଆରମ୍ଭର ଅତିବ ଶୁଭଦିନ ହେଉଛି ଆଶ୍ୱିନ ଅମାବାସ୍ୟା ବା ମହାଳୟା । ମହାଳୟା ଏକ ସଂସ୍କୃତ ଶବ୍ଦ, ଯାହା ମହା ଏବଂ ଆଳୟକୁ ନେଇ ଗଠିତ । ଅର୍ଥାତ୍ ମହାନ ନିବାସସ୍ଥଳ ବା ଦେବୀଙ୍କ ନିବାସ ସ୍ଥଳ । ଗତ ସେପ୍ଟେମ୍ବର ୧୭ ତାରିଖରୁ ୧୫ ଦିନ ବ୍ୟାପି ପିତୃପକ୍ଷରେ ହିନ୍ଦୁମାନେ ନିଜର ପିତୃପୁରୁଷଙ୍କ ମୋକ୍ଷ ଲାଗି ଘରେ ଘରେ ପୂଜା, ତର୍ପଣ କରୁଥିଲେ । ମହାଳୟା ସେମାନଙ୍କୁ ବିଦାୟ ଦିଆଯିବାର ଅବସର । ମହାଳୟା ପିତୃ ଅମାବାସ୍ୟା ନାମରେ ମଧ୍ୟ ପରିଚିତ । ମହାଳୟା ଦିନ ପୂଜା, ତର୍ପଣ, ପିଣ୍ଡଦାନ ସହ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରାଯାଏ । ଏହାଦ୍ୱାରା ପିତୃପୁରୁଷଙ୍କ କଲ୍ୟାଣ ପ୍ରାପ୍ତ ହୁଏ । ମହାଳୟାରେ ବ୍ରାହ୍ମଣଙ୍କୁ ଭୋଜନ ତଥା ଦାନ ଦିଆଯିବା ସହିତ ଗୋରୁଗାଈ, କାଉ, କୁକୁର, ଇତ୍ୟାଦିଙ୍କୁ ଖାଦ୍ୟ ଦେଇ ଜୀବଜଗତକୁ ତୁଷ୍ଟ କରିବାର ଅନନ୍ୟ ପରମ୍ପରା ରହିଛି ।  ବ୍ୟାସଦେବକୃତ ମହାଭାରତ ଅନୁସାରେ ଆଶ୍ୱିନୀ କୃଷ୍ଟ ଅଷ୍ଟମୀ ଅଥବା କାର୍ତ୍ତିକ କୃଷ୍ଣ ଅଷ୍ଟମୀ ହେଉଛି ଦୂର୍ଗାପୂଜାର ସମୟ । ପିତାମହ ଭୀଷ୍ମ ଯୁଧିଷ୍ଠିରଙ୍କୁ ଏ ସଂପର୍କରେ ଉପଦେଶ ଦେଇ କହିଛନ୍ତି ହେ ଯୁଧିଷ୍ଠିର, ଏହିପରି ପ୍ରତିବର୍ଷ ଦୁର୍ଗାପୂଜା କରିବ । ଏ ସଂପର୍କରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି ଯେବେ ସୂର୍ଯ୍ୟ ସପ୍ତମୀ ତିଥିରେ ଉଦୟ ହୁଅନ୍ତି ଏବଂ ପରେ ଅଷ୍ଟମୀ ତିଥି ପଡ଼େ, ତେବେ ସେହିଦିନ ଦୁର୍ଗାପୂଜା କରିବା ବିଧେୟ । ନବମୀବିଦ୍ଧା ଅଷ୍ଟମୀ ତିଥିରେ ଦୁର୍ଗାପୂଜା କରିବା ବିଧେୟ ନୁହେଁ ।
ଏହି ଅନୁସାରେ ଆଶ୍ୱିନ କୃଷ୍ଟ ଅଷ୍ଟମୀ ବା ମୂଳାଷ୍ଟମୀର ଆଶ୍ୱିନ ଶୁକ୍ଳ ଅଷ୍ଟମୀ ବା ମହାଷ୍ଟମୀ ପର୍ଯ୍ୟନ୍ତ ଦୁର୍ଗାପୂଜା କରାଯାଇଥାଏ । ଏହା ଷୋଡ଼ଶ ଦିବସ ବ୍ୟାପୀ ଦୁର୍ଗାପୂଜା । ଏହା ବ୍ୟତୀତ ନଅଦିନ, ପାଞ୍ଚଦିନ, ତିନିଦିନ, ଦୁଇ ଦିନ ଓ ଏକ ଦିନ ଦୁର୍ଗାପୂଜା ମଧ୍ୟ ହୋଇଥାଏ । ମାତ୍ର ଷୋଡ଼ଶ ଦିବସବ୍ୟାପୀ ଦୁର୍ଗାପୂଜା ସେ ସବୁ ମଧ୍ୟରେ ଶ୍ରେଷ୍ଠ । ଦେବୀପୀଠ ମାନଙ୍କରେ ବିଧିମତେ ଦୁର୍ଗୋତ୍ସବ ପାଳିତ ହେବା ସହିତ, ଏହି ଅବଧି ମଧ୍ୟରେ ଦେବୀଙ୍କର ବିଭିନ୍ନ ବେଶ ସଂପନ୍ନ ହୋଇଥାଏ ।ମୂଳାଷ୍ଟମୀରୁ ମହାଷ୍ଟମୀ - ଷୋହଳ ଦିନରେ ଷୋହଳ ପ୍ରକାରର ବେଶ ହେଉଥିବା ଦେବୀ ମାନଙ୍କ ମଧ୍ୟରେ କଟକ ଚଣ୍ଡୀ ଓ କଟକର ଗଡ଼ଚଣ୍ଡୀ ପ୍ରସିଦ୍ଧ । ଏହି ଷୋହଳ ଦିନ ମଧ୍ୟରୁ ପ୍ରଥମ ଆଠଦିନ ଯଥାକ୍ରମେ କଟକ ଚଣ୍ଡୀଙ୍କର ସୁନାବେଶ, ଭୁବନେଶ୍ୱରୀ ବେଶ, ଉଗ୍ରତାର ବେଶ, ତ୍ରିପୁର ଭୈରବୀ ବେଶ, ସିଦେ୍ଧଶ୍ୱରୀ ବେଶ, ନାରାୟଣୀ ବେଶ, ରାଜରାଜେଶ୍ୱରୀ ବେଶ ଓ ମାତଙ୍ଗୀ ବେଶ ହେବା ପରେ, ଶୁକ୍ଳ ପ୍ରତିପଦା ଦିନ ଜଗଦ୍ଧାତ୍ରୀ ବେଶ ହୋଇଥାଏ । ଏହା ନବଦିନ ବ୍ୟାପୀ ଦୁର୍ଗାପୂଜା ବା ନବରାତ୍ରର ପ୍ରଥମ ଦିନ । ଏହାପରେ ଦ୍ୱିତୀୟା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସାତଦିନ ଯଥାକ୍ରମେ ତାଙ୍କର ଜୟଦୁର୍ଗା ବେଶ, ଷୋଡ଼ଶୀ ବେଶ, ହରଚଣ୍ଡୀ ବେଶ, ବନଦୁର୍ଗା ବେଶ, ଗାୟତ୍ରୀ ବେଶ, ବଗଳାମୁଖୀ ବେଶ ଓ ମହାକାଳୀ ବେଶ ହୋଇଥାଏ । ମହାଷ୍ଟମୀର ମହାକାଳୀ ବେଶ ପରେ ମହାନବମୀ ଦିନ ମହାଲକ୍ଷ୍ମୀ ବେଶ, ବିଶ୍ରାମଦିନ ମହାସରସ୍ୱତୀ ବେଶ ଏବଂ ବିଜୟା ଦଶମୀରେ ଦେବୀଙ୍କର ମହିଷମର୍ଦ୍ଦିନୀ ବେଶ ହୋଇଥାଏ ।  ଯାଜପୁରର ମା'ବିରଜା ଓ ଶ୍ରୀକ୍ଷେତ୍ର ପୁରୀର ମା'ବିମଳା ଓଡ଼ିଶାର ଦୁଇ ପ୍ରାଚୀନ ଦେବୀ । ଦେବୀ ବିମଳାଙ୍କ ପୀଠରେ ଏହି ଷୋହଳ ଦିନ ମଧ୍ୟରେ ଦେବୀଙ୍କର ୧୧ଟି ବେଶ ହୋଇଥାଏ । ସେହି ବେଶ ଗୁଡ଼ିକ ହେଉଛି ବନଦୁର୍ଗା, ଭୁବନେଶ୍ୱରୀ, ନାରାୟଣୀ, ବଗଳାମୁଖୀ, ଜୟଦୁର୍ଗା, ଉଗ୍ରତାରା, ମାତଙ୍ଗିନୀ, ଦଶଭୁଜା, ରାଜରାଜେଶ୍ୱରୀ, ହରଚଣ୍ଡୀ ଓ ସିଂହବାହିନୀ । କିନ୍ତୁ ଓଡ଼ିଶାର ଅନ୍ୟ ଏକ ପ୍ରାଚୀନ ପୀଠ, ପଶ୍ଚିମ ଓଡ଼ିଶାରେ ମା' ସମଲେଶ୍ୱରୀଙ୍କର ଷୋହଳ ପୂଜାରେ କିିଛି ବର୍ଷ ପୂର୍ବେ ବିବିଧ ବେଶ ହେଉଥିବାବେଳେ ପ୍ରାଚୀନ ବିଧି ଅନୁସାରେ ଏବେ କେବଳ ମହାଳୟା ଦିନ ମା'ଙ୍କର ଧବଳମୁଖୀ ବେଶ ହେଉଛି । ମୂୂଳାଷ୍ଟମୀ ଦିନ ପୂଜା ଆରମ୍ଭ ହୋଇ ମହାଳୟା ଦିନ ଏହି ବେଶ ହେବା ପରେ ନବରାତ୍ର ଆରମ୍ଭରେ ନବରାତ୍ର ପ୍ରଦୀପ ପ୍ରଜ୍ଜ୍ୱାଳନ ଓ ମହାସପ୍ତମୀ ଦିନ ତ୍ରିଦିନାତ୍ମକ ପ୍ରଦୀପ ପ୍ରଜ୍ଜ୍ୱାଳନ କରାଯାଇ, ଦଶହରା ଦିନ ପ୍ରଦୀପ ବିସର୍ଜନ କରାଯାଉଛି । କିନ୍ତୁ ଓଡ଼ିଶାର ସୁପ୍ରାଚୀନ ଦେବୀପୀଠ ବିରଜାଙ୍କ ଷୋଳପୂଜାର ବିଧି ଭିନ୍ନ । ଏହି ଦେବୀଙ୍କର ଷୋହଳ ପୂଜା ଅବସରରେ ବିଭିନ୍ନ ଦିନରେ ଦେବୀଙ୍କର ଭିନ୍ନ ଭିନ୍ନ ବେଶ ନ ହୋଇ, ଭିନ୍ନ ମନ୍ତ୍ରରେ ଦେବୀ ପୂଜିତା ହୋଇଥାନ୍ତି ।