ଟାଟାଏସି ଧକ୍କାରେ ବାଇକ ଚାଳକ ମୃତ; ଡ୍ରାଇଭର ଗିରଫ
ଭୁବନେଶ୍ୱର, ୭ା୧ : କଳିଙ୍ଗ ଷ୍ଟୁଡ଼ିଓ ଛକରେ ଏକ ବାଇକକୁ ଧକ୍କାଦେଲା ଟାଟାଏସି ଗାଡି । ଗୁରୁତର ଅବସ୍ଥାରେ ବାଇକ ଚାଳକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତ ଟାଟାଏସି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ, ଚନ୍ଦକା ପାଇକରାପୁର ଟାଙ୍ଗୀ ସାହିର ରବୀନ୍ଦ୍ର ବଳବନ୍ତରାୟ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଲିତା ସେଠୀଙ୍କ ସ୍ୱାମୀ ଗତ ୫ ତାରିଖ ସନ୍ଧ୍ୟା ୫ଟା ୩୦ ସମୟରେ ନିଜ ବାଇକରେ କଳିଙ୍ଗ ଷ୍ଟୁଡ଼ିଓ ଛକରୁ ଘରକୁ ଫେରିବା ବେଳେ, ବିପୁଲ ଗାର୍ଡେନ ନିକଟରେ ଅଭିଯୁକ୍ତ ରବୀନ୍ଦ୍ର ବଳବନ୍ତରାୟ ତାର ଟାଟାଏସି ଗାଡିକୁ ଦୃତଗତିରେ ଆଣି ଧକ୍କା ଦେଇଥିଲା । ଏହି ଘଟଣାରେ ଅଭିଯୋଗକାରିଣୀଙ୍କ ସ୍ୱାମୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଘଟଣା ସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।