ପୁଞ୍ଜିନିବେଶ ନାଁରେ ସାଇବର ଠକେଇ

ପୁଞ୍ଜିନିବେଶ ନାଁରେ ସାଇବର ଠକେଇ
ଚେନ୍ନାଇରୁ ଠକକୁ ବାନ୍ଧିଲା ପୁଲିସ; ୬୭ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ
ଭୁବନେଶ୍ୱର, ୨୦ା୧୧ : ରାଜଧାନୀରେ ଦିନକୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ପୁଲିସ ବିଭାଗ ପର୍ଯ୍ୟନ୍ତ ଏନେଇ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଏହି ଠକେଇର ମାତ୍ରା ବଢ଼ୁଛି ବରଂ କମିବାର ନାଁ ନେଉନାହିଁ । ବାରମ୍ବାର ସାମାଜିକ ଗଣମାଧ୍ୟମରେ ଆସୁଥିବା କୌଣସି ବି ଲୋଭନୀୟ ଅଫରରେ ଫସି ନ ଯିବାକୁ ପୁଲିସ ପକ୍ଷରୁ ଲୋକଙ୍କୁ କୁହାଯାଉଥିଲେ ମଧ୍ୟ ପୁଣିଥରେ ସେହିଭଳି ଏକ ଠକେଇର ଶିକାର ହୋଇଛନ୍ତି ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତତ୍ପରତା ଦେଖାଇବା ସହ ଏହି ପୁଞ୍ଜିନିବେଶ ନାଁରେ ଠକେଇ ମାମଲାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ଏମକୁ ତାମିଲନାଡ଼ୁର ଚେନ୍ନାଇରୁ ସାଇବର ଥାନାର ଏକ ସ୍ୱତନ୍ତ୍ର ଟିମ ତାମିଲନାଡ଼ୁ ଯାଇ ଗିରଫ କରି ଆଣିଥିବା ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ବୁଧବାର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବରମୁଣ୍ଡା ଅଞ୍ଚଳର ଅଭିଯୋଗକାରୀ ମେ ୯ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ ଯେ, ସେ କିଛିଦିନ ପୂର୍ବେ ବୁଲିସ ମୁମେଣ୍ଟମ ନାମକ ଏକ ୱାଟସପ ଗ୍ରୁପରେ ହଠାତ ସାମିଲ ହୋଇଥିଲେ । ଏଥିରେ ୨୫୦ ଜଣ ସଦସ୍ୟ ଥିଲେ । ଏହି ଗ୍ରୁପର ମୁଖ୍ୟ ଇଣ୍ଟରନାଲ ଇକୁ୍ୟଇଟି ଆକାଉଣ୍ଟରେ ଟଙ୍କା ବିନିଯୋଗ କଲେ ଦୁଇଗୁଣା ଟଙ୍କା ଫେରସ୍ତ ହେବ ବୋଲି ପ୍ରଲୋଭନ ଦେଖାଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ଟଙ୍କାକୁ ଆଇପିଇଓରେ ବିନିଯୋଗ ହେବ ବୋଲି କୁହାଯାଇଥିଲା । ଫଳରେ ଅଭିଯୋଗକାରୀ ଲୋଭର ବଶବର୍ତ୍ତୀ ହୋଇ ବିଭିନ୍ନ ପର୍ଯ୍ୟାୟରେ ୧୯ ଲକ୍ଷ ୫୦ ହଜାର ଟଙ୍କା ଉକ୍ତ ସଂସ୍ଥାରେ ବିନିଯୋଗ କରିଥିଲେ । ପରେ ଅଭିଯୁକ୍ତଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଫଳରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଚେନ୍ନାଇରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ନିଜକୁ ତାମିଲ ଫିଲ୍ମ ଇଣ୍ଡଷ୍ଟି୍ରର ପ୍ରଯୋଜକ ବୋଲି ପରିଚୟ ଦେଉଥିବା ଡିସିପି କହିଛନ୍ତି । ତେବେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବାରୁ ସେଥିଷର ୬୭ ଲକ୍ଷ ଥିବା ଜଣାପଡ଼ିଛି । ଉକ୍ତ ଆକାଉଣ୍ଟକୁ ହିଁ ଅଭିଯୋଗକାରୀଙ୍କ ଟଙ୍କା ଯାଇଥିବା ତଦନ୍ତ ବେଳେ ଜଣାପଡ଼ିଛି । ଗିରଫ ପ୍ରକାଶ ଏମକୁ ବୁଧବାର କୋର୍ଟଚାଲାଣ କରାଯାଇଥିବା ବେଳେ ଖୁବଶ୍ରୀଘ ତାଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ ବୋଲି ଡିିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।