ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ପ୍ରହ୍ଲାଦଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ ; ଅଧିକ ଉଷୁନା ଚାଉଳ ଉଠାଇବାକୁ ଅନୁରୋଧ
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି । ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉଷୁନା ଚାଉଳ ଉଠାଣ ପରିମାଣ ୨୦ ଲକ୍ଷ ମେଟ୍ରିକ ଟନରୁ ୨୫ ଲକ୍ଷ ମେଟ୍ରିକ ଟନ କରିବା ପାଇଁ ଅନୁରୋଧ କରିଛନ୍ତି । ଏ ସମ୍ପର୍କିତ ଏକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି । ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଓଡ଼ିଶାରେ ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଥିବା ବେଳେ ୨୦୨୫-୨୬ ଖରିଫ ଋତୁ ପାଇଁ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଉଷୁନା ଚାଉଳର ତୁରନ୍ତ ଉଠାଣ ନିତାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପୁଲ ଅଧୀନରେ ଉଭୟ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଉଷୁନା ଚାଉଳ ଉଠାଣ ପରିମାଣକୁ ବର୍ତ୍ତମାନର ୨୦ ଲକ୍ଷ ମେଟ୍ରିକ୍ ଟନକୁ ବଢାଇ ୨୫ ଲକ୍ଷ ମେଟ୍ରିକ୍ ଟନ କରିବା ପାଇଁ ଅନୁରୋଧ କରିଛନ୍ତି ।