ଧାନ ବିକ୍ରି ପଞ୍ଜିକରଣ ନେଇ ଉପଜିଲ୍ଲାପାଳଙ୍କ ସହ ଆଲୋଚନା
ବରଗଡ଼ : ରାଜବୋଡା ସମ୍ବର କୃଷକ ସଂଗଠନ ପ୍ରତିନିଧି ମଣ୍ଡଳୀ ଏବଂ ଉପଜିଲ୍ଲାପାଳ ସହିତ ଏକ ଘଣ୍ଟା ଧରି ନୂତନ ଧାନ ବିକ୍ରି ପଞ୍ଜିକରଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ସଂଗଠନ ପକ୍ଷରୁ ଏହି ନୂତନ ପଞ୍ଜିକରଣ ବ୍ୟବସ୍ଥାରେ ଅନେକ ତ୍ରୁଟି ବା ଅସମ୍ଭବ ଆବଶ୍ୟକ କାଗଜପତ୍ର ଦରକାର ପଡୁଥିବା ଅଭିଯୋଗ କରିଛନ୍ତି ।
ଯଦି ସରକାରଙ୍କ ଉଦେ୍ଦଶ୍ୟରେ ଚାଷ କରୁଥିବା ଚାଷୀ ବ୍ୟତୀତ ଅନ୍ୟ କୌଣସି ନକଲି ଚାଷୀ ପଞ୍ଜିକରଣ ହୋଇପାରିବେ ନାହିଁ ତା’ହେଲେ କେମିତି ରେକର୍ଡଧାରୀଙ୍କ ମୃତୁ୍ୟ ହୋଇଥିଲେ ସମସ୍ତ ବଂଶୀୟ ଧାନ କାର୍ଡ ତିଆରି କରିପାରିବେ ବୋଲି ନିଦେ୍ର୍ଦଶ ଦେଇଛନ୍ତି ? ସେମାନଙ୍କର ବଂଶୀୟ ହକ ଅନୁଯାୟୀ ଜମିରେ ଅଧିକାର ଥାଇପାରେ ଏବଂ ଜମି ବିଭାଜନରେ ଏମାନଙ୍କ ସହମତି ଆବଶ୍ୟକ ଅଟେ । କିନ୍ତୁ ଯେଉଁ କୃଷକ ଜମି ଚାଷ କରିଥିବ ଏବଂ ଆଗରୁ ସେହି ଜମିରେ ଋଣ ନେଇଥିବ ଓ ବିଗତ ବର୍ଷ ମାନଙ୍କରେ ସୁରୁଖୁରୁରେ ଧାନ ବିକ୍ରି କରିଥିବ ତାହାହେଲେ ସେହି ଚାଷୀଙ୍କୁ କାହିଁକି ହଇରାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଏଥିସହିତ ଏହା ଦ୍ୱାରା ଦଲାଲ ସଂଖ୍ୟା ବୃଦ୍ଧି ପାଇବ, ଚାଷୀ ଅଣ୍ଡରରେଟର ଶିକାର ହେବ, ଋଣ ପରିଶୋଧ କରିପାରିବ ନାହିଁ, ଖାଦ୍ୟ ସଂକଟ ଦେଖାଦେବ, ଧାନ କ୍ୱିଣ୍ଟାଲ ୩୧ ସହ ପାଣିର ଗାର ପାଲଟିବ ଏବଂ କୃଷି ଅର୍ଥନୀତି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବ । ସେଥିପାଇଁ ଏହି କେନ୍ଦ୍ରିକାରଣ ବ୍ୟବସ୍ଥା ବନ୍ଦ କରାଯାଉ ଏବଂ ସ୍ୱଘୋଷଣା ନାମା ଦେଲେ ଚାଷୀର ପଞ୍ଜିକରଣ କରାଯାଉ ଏବଂ ଯଦି କୌଣସି ଦଲାଲ ବା ଜବରଦସ୍ତ ଅନ୍ୟ ଭାଇ ଏନ୍ୟ ଭାଇଙ୍କ ବିନା ସହମତିରେ ଧାନ କାର୍ଡ ତିଆରି ପାଇଁ ମିଛ କାଗଜପତ୍ର ଦେଇ ପଞ୍ଜିକରଣ କରେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଗଠନ ପକ୍ଷରୁ ଲିଖିତ କପି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏଥିସହିତ ଏହାର ସମାଧାନ ନ ହେଲେ ଆମେ ରାଜ ରାସ୍ତାକୁ ଉହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଆଲୋଚନାରେ ଆବାହକ ଅଶୋକ ସାହୁ, ଅଜିତ ଶତପଥି, ପଞ୍ଚାନନ ସାହୁ, ସୁବାସ ସାମନ୍ତରାୟ, କୈଳାଶ ବାରିକ, ରୋହିତ ସାହୁ, ଦହିତ ସାହୁ, ଲିଙ୍ଗରାଜ ପଧାନ, ଅରବିନ୍ଦ ପଣ୍ଡା, ଆନନ୍ଦ ପଧାନ, ସାମନ୍ତ ସାହୁ, ସୁବାସ ପଧାନ, ପ୍ରଭାତ ସାହୁ, ପ୍ରେମରାଜ ସାହୁ, ମହେନ୍ଦ୍ର ସାହୁ, ମହେନ୍ଦ୍ର ପଧାନ, ଦିଲୀପ ହେହେରା ଏବଂ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର ଏବଂ ଛଅଟି ବ୍ଲକର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।