ମାନବ ଚାଲାଣମୁକ୍ତ ସମାଜ ପାଇଁ ଆହ୍ୱାନ

ବ୍ରହ୍ମପୁର  :  ବିଶ୍ୱ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଆଇଏସ୍ଆର୍ଡି-ଶକ୍ତିସଦନ ଏବଂ ୱାନ୍ଷ୍ଟପ୍ ସେଣ୍ଟର, ଗଞ୍ଜାମର ମିଳିତ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଏକ ମାନବ ଶୃଙ୍ଖଳ ଓ ପଦଯାତ୍ରାର ଆୟୋଜନ କରାଯାଇଥିଲା । 
ଯାହାକୁ ବ୍ରହ୍ମପୁର ରେଳ ଷ୍ଟେସନର ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ଶ୍ରୀ ବ୍ରହ୍ମା କହିଥିଲେ ଯେ, ମାନବ ଚାଲାଣ ଏକ ସଂଗଠିତ ଅପରାଧ ଏବଂ ଏହାକୁ ସମାପ୍ତ କରିବା ପାଇଁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଦଲାଲ ଓ ଅପରାଧୀଙ୍କ କାର୍ଯ୍ୟଶୈଳୀ ଉପରେ ଦୃଷ୍ଟି ରଖିବା ସହ ଚାଲାଣକାରୀ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଶ୍ରୀ ରାଜଶ୍ରୀ ଦାସ, ମୁଖ୍ୟ ଟିଟି ରଶ୍ମିରଞ୍ଜନ ବେହେରା, ସ୍ୱାସ୍ଥ୍ୟ ନିରୀକ୍ଷକ ଡି. ବିଷ୍ଣୁ, ରେଳ ସୁରକ୍ଷା ବାହିନୀର ସଦାନନ୍ଦ ଦାସ ଏବଂ ସରକାରୀ ରେଳ ପୁଲିସ ଅଧିକାରୀ ବିଶ୍ୱନାଥ ମଲ୍ଲିକ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ମାନବ ଚାଲାଣର ବାସ୍ତବତା, ଏହାର ବିଭିନ୍ନ ରୂପ ଏବଂ ସମାଜ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ପୀଡିତାଙ୍କୁ ସୁରକ୍ଷା, ନ୍ୟାୟ, ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ଯୋଗାଇ ଦେବାର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନା କରି ଆଇଏସ୍ଆର୍ଡି ନିଦେ୍ର୍ଦଶକ ସୁଧୀର ସାବତ କହିଥିଲେ ଯେ, ଦଲାଲମାନେ ପୀଡିତାଙ୍କୁ ଆକର୍ଷିତ କରିବା ପାଇଁ ସୋସିଆଲ ମିଡିଆ, ଅନଲାଇନ୍ ମାର୍କେଟ ପ୍ଲେସ୍ ଏବଂ ୱେବସାଇଟ୍ ଭଳି ଇଣ୍ଟରନେଟ୍ ପ୍ଲାଟଫର୍ମର ବହୁଳ ବ୍ୟବହାର କରୁଛନ୍ତି । କାର୍ଯ୍ୟକ୍ରମରେ ରେଳ ସୁରକ୍ଷା ବାହିନୀ ର ରବୀନ୍ଦ୍ର ବେହେରା, ମନୋଜ ବେହେରା, ଯୁବରାଜ ରୋହିଣୀଙ୍କ ସମେତ ସରକାରୀ ରେଳବାଇ ପୁଲିସର କର୍ମକର୍ତ୍ତା, ସମସ୍ତ ଟିଟି, ସ୍ୱଚ୍ଛସାଥୀ, ହକର, କୁଲି, ଅଟୋ ଆସୋସିଏସନର କର୍ମକର୍ତ୍ତା ଏବଂ ବହୁ ସମାଜସେବୀ ଯୋଗ ଦେଇଥିଲେ । ମହେଶ୍ୱତା ପାଢୀ, ସ୍ନେହମୟୀ ପାଢୀ, ଆସ୍କିଲା ରାଇକା, ସୌଦାମିନୀ ସାହୁ, ସାବିତ୍ରୀ ଦଳବେହେରା, ଐଶ୍ୱର୍ଯ୍ୟା ସାବତ, ବଜରଙ୍ଗୀ ନାୟକ, ସୁଶୋମିତା କାଜୀ ଓ ଅନିତା ମଲିକ ପ୍ରମୁଖ ଉପସ୍ଥିତଥିଲେ । ଗୋପାଳକୃଷ୍ଣ ଦଳବେହେରା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପ୍ରଭାତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।