ନନ୍ଦନକାନନରେ ଭଙ୍ଗାରୁଜା ଘଟଣା : ଦିନକିିଆ ରିମାଣ୍ଡରେ ଖୋବା
ଭୁବନେଶ୍ୱର, ୪ା୫ : ଗତ ଏପ୍ରିଲ ମାସ ୨୯ ତାରିଖ ଦିନ ନନ୍ଦନକାନନରେ ଭଙ୍ଗାରୁଜା ଓ ୨ ଅଫିସରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦାରୁଠେଙ୍ଗ ଗ୍ରାମର ସନ୍ତୋଷ ପାହାଡସିଂହ ଓରଫ ଖୋବାକୁ ଦିିନିକିଆ ରିମାଣ୍ଡରେ ଆଣିଛି ନନ୍ଦନକାନନ ଥାନା ପୁଲିସ । ଏନେଇ ଥାନା ଅଧିକାରୀ ସମିତା ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଅଧିକ ପଚରା ଉଚରା ପାଇଁ କୋର୍ଟରେ ଖୋବାକୁ ୨ ଦିନିଆ ରିମାଣ୍ଡରେ ନେବାକୁ ଆମେ କୋର୍ଟରେ ଆବେଦନ କରିଥିବା ବେଳେ,କୋର୍ଟ ଗୋଟିଏ ଦିନ ରିମାଣ୍ଡ ପାଇଁ ଅନୁମତି ଦେଉଛନ୍ତି । ଖୋବାକୁ ରିମାଣ୍ଡରେ ଆଣି ପୁଲିସ ଆଜି ଅଧିକ ପଚରା ଉଚରା କରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଛି । ଆଜି ଦିନିକିଆ ରିମାଣ୍ଡ ସରିବା ପରେ ପୁଣି ଝାରପଡ଼ା ଜେଲକୁ ପଠାଇଦିଆଯାଇଛି । ତାଠାରୁ ଏକ କଟୁରୀ ଓ ଏକ ବାଇକ ଜବତ କରାଯାଇଛି ।
ସୂଚନା ଅନୁଯାୟୀ, ଦୁଇ ଅଫିସରଙ୍କ ସଲାସୁତରାରେ ଦୀର୍ଘ ଦିନ ହେବ ନନ୍ଦନକାନନରେ ଚାଲିଥିଲା ଭୋଜି ଭାତ ସାଙ୍ଗକୁ ମଦ ପିଆର ଆସର । ଏହି ଘଟଣା ଖାଲି ପୁଲିସ କହୁନାହିଁ, ନନ୍ଦନକାନନ ଭିତରେ କାର୍ଯ୍ୟରତ ଅନ୍ୟ ଅଫିସର ଓ କର୍ମଚାରୀମାନେ କହିବା ସହ ଏହାକୁ ନେଇ ଅଞ୍ଚଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଦୁଇ ଅଫିସରଙ୍କୁ ତୁରନ୍ତ ସସ୍ପେଣ୍ଡ କରିବାର ଆବଶ୍ୟକ ଥିବା ବେଳେ ଡିଏଫ୍ଓ କାହିଁକି ଚୁପ୍ ବସିଛନ୍ତି ତାହାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃ୍ଷ୍ଟି କରିଛି । ଦୁଇ ଅଫିସରଙ୍କୁ କ’ଣ ବଞ୍ଚାଇବାକୁ ଡିଏଫ୍ଓ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କି ? ଯଦି ନୁହେଁ, ତା ହେଲେ କାହିଁକି ସାମ୍ବାଦିକଙ୍କ ଫୋନକୁ ସେ ରିସିଭ କରୁନାହାନ୍ତି କି ଗଣମାଧ୍ୟମ ଆଗରେ କାହିଁକି ମୁହଁ ଖୋଲୁ ନାହାନ୍ତି ତାହା ଏବେ ତଦନ୍ତକୁ ଦିଗହରା କରୁନି କି? ଆଶ୍ଚର୍ଯ୍ୟର କଥାରେ ଦୁଇ ଅଫିସରଙ୍କୁ ଆକ୍ରମଣ କରିବା ଘଟଣାକୁ ୫ ଦିନ ବିତି ଯାଇଥିଲେ ମଧ୍ୟ ଡିଏଫଓ କାହିଁକି ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇନାହାନ୍ତି । ସୋମବାର ଦିନ ନନ୍ଦନକାନନ ଛୁଟି ରହିଥାଏ । ହେଲେ ଦୁଇ ଅପରାଧୀ ଚାରି ଚାରିଟା ଗେଟକୁ ଭେଦ କରି ଏସିଏଫଙ୍କ ଅଫିସକୁ ଗଲେ କିଭଳି । ଦୁଇ ଅପରାଧୀଙ୍କ ସହ ଏସିଏଫ୍ଙ୍କ ପୂର୍ବରୁ ଥିଲା ସଲାତୁତରା କି ? ଯଦି ସତ ହୋଇଥାଏ ତାହା ହେଲେ ସାଂଘାତିକ । କୁଆଡେ ଶୁଣିବାକୁ ମିଳୁଛି ଠିକା କାମକୁ ନେଇ ଭାଗବଣ୍ଟା ଛିଡୁନଥିବାରୁ ଏହାକୁ ନେଇ ଅଫିସର ଓ ଅପରାଧୀଙ୍କ ମଧ୍ୟରେ ଲାଗି ରହିଥିଲା ତୁ ତୁ ମେଁ ମେଁ । ଯାହାର ଫଳ ଦୁଇ ଅଫିସରଙ୍କୁ ଭୋଗିବାକୁ ପଡିଛି । ଏଭଳି ସମ୍ବେଦନଶୀଳ ଘଟଣାକୁ ଡିଏଫ୍ଓ ଗୁରୁତର ସହ ନେଇ ତଦନ୍ତ କରିବା କଥା । ହେଲେ ସେ କାହିଁକି ଚୁପ ବସିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । କେବେ ଦୁଇ ଅଫିସରଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାର କଥା ।