ଲୋନ୍ କରାଇଦେବାକୁ କହି ୨୫ ହଜାର ଚଳୁ ; ମହିଳା ଠକ ଗିରଫ


 ଭୁବନେଶ୍ୱର, ୧୧ା୪ : ୭ ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲୋନ କରାଇଦେବାକୁ କହି ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଚୁନ । ଥାନାରେ ଅଭିଯୋଗ ପରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁକରି ଆଜି ମହିଳା ଠକଙ୍କୁ ଗିରଫ କରିଛି । ଗିରଫ ମହିଳା ହେଲେ, ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିର ନିକଟରେ ରହୁଥିବା ନନ୍ଦନକାନନ ଅଞ୍ଚଳର ଲିରିପ୍ତା ଜଗଦେଭ ମହାପାତ୍ର । ପରେ ଥାନା କେସ ନମ୍ବର ୨୨୫ରେ ମାମଲା ରୁଜୁକରି ଦଫା ୪୨୦ରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଭବାନୀ ଶଙ୍କର ଦାସ ପେଷାରେ ଜଣେ ବ୍ୟବସାୟୀ ଓ ତାଙ୍କର ବୁଦ୍ଧନଗର ଏକାମ୍ର ପ୍ଲାଜାରେ ଅଟୋ ହେଭେନଂ ନାମରେ ଏକ କାର ସ୍ୱେୟାର ପାର୍ଟସ୍ ଦୋକାନ ଅଛି । ଏହି ଭିତରେ ଅଭିଯୋଗକାରୀଙ୍କ କିଛି ଆର୍ଥିିକ ଆବଶ୍ୟକତା ପଡ଼ିବାରୁ ସେ ଅଭିଯୁକ୍ତଙ୍କ ସହିତ ଏକ ଚୁକ୍ତି କରିଥିଲେ ଏବଂ ଚୁକ୍ତି ମୁତାବକ ୭ଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କା ଲୋନ କରାଇଦେବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ନେଇଥିଲେ । ହେଲେ ଟଙ୍କା ନେବା ପରେ ଅଭିଯୁକ୍ତ ମହିଳା ତାଙ୍କୁ ଚୁକ୍ତି ମୁତାବକ ୭ ଦିନରେ ଲୋନ ନ କରାଇ ଆଜି କାଲି କହି ଠକି ବୁଲୁଥିଲେ । ପରେ ଅଭିଯୁକ୍ତଙ୍କୁ ଯେତେ କହିଲେ ମଧ୍ୟ ସେ ଆଉ ସୁଣିନଥିଲେ । ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ସିକୁ୍ୟରିଟି ଗାର୍ଡଙ୍କୁ ଦେଇଥିବା ଏକ ଦସ୍ତଖତ ବିହୀନ ଖାଲି ଚେକକୁ ସେ ଅପବ୍ୟବହାର କରିଥିବାର ଜଣେ ଅଚିହ୍ନା ଲୋକଙ୍କ ଠାରୁ ଜାଣିବାକୁ ପାଇଥିଲେ । ଏହା ପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ମହିଳା ଠକଙ୍କୁ ଗିରଫ କରିଛି ।