ସାମାନ୍ୟ ପାଣି ପାଇଁ ଆକ୍ରମଣ ସହ ସୁନା ଲୁଟ୍ ; ୩ ଗିରଫ

ଭୁବନେଶ୍ୱର, ୪ା୫ : ସାମନ୍ୟ ପାଣି ନେବାକୁ ନେଇ ହୋଟେଲ କରିଥିବା ୨ ମହିଳାଙ୍କୁ ଆକ୍ରମଣ ସହ ସୁନା ଚେନ୍ ଲୁଟ୍ । ଏନେଇ ଥାନାରେ ଅଭିଯୋଗ ପରେ ଇନଫୋସିଟି ଥାନା ପୁଲିସ ଗୋଟିଏ ପରିବାରର ମାଆ, ପୁଅ ଓ ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ, ଇନଫୋସିଟି ପ୍ରଶାନ୍ତିବିହାରର ଜିତେନ୍ଦ୍ର ମିଶ୍ର, ପ୍ରୀତି ମିଶ୍ର ଓ ଇତୀ ମିଶ୍ର ।
ସୂଚନାଯୋଗ୍ୟଯେ, ଅଭିଯୋଗକାରୀ ଏବଂ ତାଙ୍କର ଜଣେ ସହଯୋଗୀ ସଙ୍ଗୀତା ଡାକୁଆ ମିଶି କିମସ୍ ହସ୍ପିଟାଲ ପାଖରେ ଏକ ହୋଟେଲ ବ୍ୟବସାୟ ଚଳାଉଥିଲେ । ସେମାନେ ସବୁଦିନ ଘରେ ରୋଷେଇ କରି ନେଇ ସେଠାରେ ବିକ୍ରି କରୁଥାନ୍ତି । ସବୁଦିନ ଭଳି ଶୁକୁବାର ସନ୍ଧ୍ୟା ୭.୩୦ ସମୟରେ ଖାଦ୍ୟ ପ୍ରସ୍ତୁତି ନିମନ୍ତେ ପାଣି ସରିଯିବାରୁ ସହଯୋଗୀ ସଙ୍ଗୀତା ୃାକୁଆ ନିକଟରେ ଥିବା ବିଏମସି ଟ୍ୟାପକୁ ପାଣି ଆଣିବାକୁ ଯାଇଥିଲେ । ସଙ୍ଗୀତା ସେଠାରୁ ପାଣି ସଂଗ୍ରହ କରି ଆଣିବା ସମୟରେ ଅଭିଯୁକ୍ତା ପ୍ରୀତି ମିଶ୍ର ଆସି ନିଜକୁ ସ୍ଥାନୀୟ ବାସିନ୍ଦାର ପରିଚୟ ଦେଇ ପ୍ରଥମେ ସେ ପାଣି ନେବାକୁ କହି ଯୁକ୍ତିତର୍କ କରିଥିଲେ । ପରେ ସଙ୍ଗୀତା ଅଭିଯୋଗକାରୀଙ୍କ ଘରକୁ ଫେରି ଆସିଥିବା ବେଳେ, ଅଭିଯୁକ୍ତ ମାନେ ତାଙ୍କ ଘର ସାମ୍ନାକୁ ଯାଇ ଭାଷା ଅଭାଷାରେ ଗଳିମନ୍ଦ କରିବା ଆରମ୍ଭ କରିଥିଲେ ଓ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ହେଲେ ଏତିକି ବେଳେ ଅଭିଯୋଗକାରୀ ଘଟଣା ସ୍ଥଳରେ ଘଟଣାର ଆପୋଷ ସମାଧାନ ତଥା ସହାୟତା ପାଇଁ ଭାଇ ନିଲୁ ମହାକୁଡକୁ ଡାକିଥିଲେ । ନିଲୁ ଘଟଣା ସ୍ଥଳରେ ପହଞ୍ଚିବା କ୍ଷଣି ଅଭିଯୁକ୍ତ ମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କର ମୁଣ୍ଡରେ ଗଭୀରଆଘାତ ଲାଗିବାରୁ ତାଙ୍କୁ ନିକଟସ୍ଥ କିମସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ବେଳେ ଅଭିଯୁକ୍ତ ମାନେ ତାଙ୍କର ଏକ ମୋବାଇଲ ଓ ବେକରେ ପିନ୍ଧିଥିବା ସୁନା ଚେନକୁ ବଳପୂର୍ବକ ଛଡ଼ାଇ ନେଇଯାଇଥିଲେ । ଅଭିଯୋଗକାରୀ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।