ନନ୍ଦିନୀ ନାଳ ପ୍ରକଳ୍ପ ନିର୍ମାଣରେ ଅହେତୁକ ବିଳମ୍ବ  : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୁରୁପଡାବାସୀ

  ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଥିବା ନନ୍ଦିନୀ ନାଳ ଜଳ ପ୍ରକଳ୍ପର ପୁନଃ ନିର୍ମାଣରେ ଅହେତୁକ ଅବହେଳା କରାଯାଉଥିବାରୁ ପ୍ରାୟ ୩ ହଜାର ଚାଷ ଜମି ମରୁଡି ହେବାକୁ ବସିଲାଣି । ଏଣୁ ଏହାର ସମାଧାନ କରିବା ଲାଗି ବୁଧବାର ଗଞ୍ଜାମ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ବୁରୁପଡା ଗ୍ରାମର ଗ୍ରାମବାସୀମାନେ । ନନ୍ଦିନୀ ନାଳଟି ବୁରୁପଡା ଗ୍ରାମର ଉପର ମୁଣ୍ଡରେ ରହିଥିବା ବେଳେ ଚଳିତ ବର୍ଷ ଏହି ପ୍ରକଳ୍ପକୁ ଦୀର୍ଘ ୮ ମାସ ହେଲା ଭଙ୍ଗାଯାଇ ନୂତନ ଭାବେ ନିର୍ମାଣ କରିବା ପାଇଁ ଠିକାରେ ଦିଆଯାଇଥିଲା । କିନ୍ତୁ ଠିକାରେ ନେଇଥିବା ଠିକାଦାର ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବା ତ ଦୂରର କଥା ଏ ପର୍ଯ୍ୟନ୍ତ ଉକ୍ତ କାମ ଆରମ୍ଭ କରିନାହାନ୍ତି । ଯାହା ଫଳରେ ଚାଷୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ନନ୍ଦିନୀ ନାଳରେ ଆସୁଥିବା ପାଣି ବୁରୁପଡା ମୌଜାକୁ ଦୁଇ ରାସ୍ତାରେ ଆସୁଥିବା ବେଳେ ଗୋଟିଏ ରାସ୍ତା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଅନ୍ୟ ଗୋଟିଏ ରାସ୍ତାରେ ବନ୍ୟା ପାଣି ଚାଲୁଛି  । ଫଳରେ ଗୋଟିଏ ଭାଗ ମରୁଡି ପଡିବାରେ ଲାଗିଥିବା ବେଳେ ଅନ୍ୟ ଭାଗଟି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏଣୁ ତୁରନ୍ତ ଏହି କାର୍ଯ୍ୟ ଶେଷ କରିବା ଲାଗି ବୁରୁପଡା ଗ୍ରାମବାସୀମାନେ ଏକ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ବହୁ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।