ନବନିଯୁକ୍ତଙ୍କୁ ମୋହନଙ୍କ ପରାମର୍ଶ : ‘ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କର’

ନବନିଯୁକ୍ତଙ୍କୁ ମୋହନଙ୍କ ପରାମର୍ଶ :  ‘ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କର’
  •  ୧୧ ବିଭାଗରେ ୧୫୪୩ ନିଯୁକ୍ତି

  • ୧୮ ମାସରେ ୩୯,୪୫୯ ସରକାରୀ ନିଯୁକ୍ତି

ଭୁବନେଶ୍ୱର : ଆମର ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟ ଗଠନର ସଂକଳ୍ପକୁ ସାକାର କରିବାରେ ଏହି ନିଯୁକ୍ତି ମେଳାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଆମ ସରକାର ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ କ୍ରମାଗତ ଭାବେ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୧୪ତମ ନିଯୁକ୍ତିମେଳା କାର୍ଯ୍ୟକ୍ରମ ଅବସରରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି।


 

  ସୂଚନାଯୋଗ୍ୟଯେ, ଆଜି ଭୁବନେଶ୍ୱର ରେଳ ଅଡିଟୋରିଅମ ଠାରେ ଆୟୋଜିତ ନିଯୁକ୍ତି ମେଳା ଅବସରରେ ୧୧ ବିଭାଗର ସମୁଦାୟ ୧୫୪୩ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୬୮୧ ଶାରୀରିକ କ୍ରୀଡା ପ୍ରଶିକ୍ଷକ, ୭୪ ସ୍ନାତକୋତ୍ତର ଶିକ୍ଷକ, କୃଷି ଓ କୃଷି ସଶକ୍ତିକରଣ ବିଭାଗର ୭୭ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଏବଂ ୩୧୫ ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୮୬ ଓଡିଶା ରାଜସ୍ୱ ସେବା ଅଧିକାରୀ ଏବଂ ୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ, ଅର୍ଥ ବିଭାଗର ୬୫ ଜଣ ଓଡିଶା ଟିକସ ଓ ହିସାବ ସେବା ଅଧିକାରୀ ଏବଂ ୫୬ ଜଣ ଓଡିଶା ଅର୍ଥସେବା ଅଧିକାରୀ, ଶ୍ରମ ବିଭାଗର ୧୦୫ ଜଣ ଓଡିଶା ଶ୍ରମସେବା ଅଧିକାରୀ ଏବଂ ଜଣେ ପରିସଂଖ୍ୟାନ ସହାୟକ, ସମବାୟ ବିଭାଗର ୧୨ ଜଣ ଓଡିଶା ସମବାୟ ସେବା ଅଧିକାରୀ ଏବଂ ୩ ଜଣ ଓଡିଶା ସମବାୟ ସମୀକ୍ଷା ସେବା ଅଧିକାରୀ, ପର୍ଯ୍ୟଟନ ବିଭାଗର ୧୮ ଜଣ ଓଡିଶା ପର୍ଯ୍ୟଟନ ସେବା ଅଧିକାରୀ, ଗୃହ ବିଭାଗର ୬ ଜଣ ଓଡିଶା ପୋଲିସ ସେବା ଅଧିକାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୫ ଜଣ ମାର୍କେଟ ଇଣ୍ଟେଲିଜେନ୍‌ସ ଅଫିସର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ଜଣେ ଓଡିଶା କର୍ମ ନିୟୋଜନ ସେବା ଅଧିକାରୀ ଏବଂ ଯୋଜନା ଓ ସଂଯୋଜନ ବିଭାଗର ୮ଜଣ ସହକାରୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପତ୍ର ପାଇଛନ୍ତି ।


   

   ନବନିଯୁକ୍ତଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆପଣମାନେ କଠିନ ପରିଶ୍ରମ, ଘାତ ପ୍ରତିଘାତ ଦେଇ ଏଠାରେ ପହଞ୍ଚିଛନ୍ତି । ଏହି ନିଯୁକ୍ତି ପତ୍ର ହେଉଛି ଆପଣଙ୍କ ବିଶ୍ୱାସ ଓ ସଫଳତାର ପ୍ରତୀକ । ସେ ଆହୁରି କହିଥିଲେ, ଆମ ସରକାର ଆସିବାର ମାତ୍ର ୧୮ ମାସ ହୋଇଛି । ଏହି ସ୍ୱଳ୍ପ ସମୟ ମଧ୍ୟରେ ସରକାରୀସ୍ତରରେ ଆମେ ୩୯,୪୫୯ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛୁ । ସେ ପୁଣି କହିଥିଲେ ଆଜି ଠାରୁ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାକୁ ପହଞ୍ଚାଇବା ଆପଣଙ୍କ କର୍ମମୟ ଜୀବନର ମୂଳ ଲକ୍ଷ୍ୟ ହେବ । ଏଥିପାଇଁ ଆପଣମାନେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱବୋଧତା ଓ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉପରେ ସବୁବେଳେ ଗୁରୁତ୍ୱ ଦେବେ । ନିଜେ ଦୁର୍ନୀତିମୁକ୍ତ ରହିବା ସହିତ ବ୍ୟବସ୍ଥାକୁ ଦୁର୍ନୀତିମୁକ୍ତ କରିବା ପାଇଁ ସବୁବେଳେ ପ୍ରତିବଦ୍ଧ ରହି ରାଜ୍ୟବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରିବେ । ଜନସାଧାରଣଙ୍କ ପ୍ରତି ଆପଣଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱକୁ କେବେହେଲେ ଭୁଲିବେ ନାହିଁ । ନିଷ୍ଠା ଓ ସହାନଭୂତି ମନୋଭାବ ନେଇ ଜନସେବା ଜାରି ରଖିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରୁ ଜଣେ ଲେଖାଏଁ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଏବଂ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାଲକାନଗିରି ଜିଲ୍ଲାର ବସନ୍ତ କୁମାର ରଣା ଓ କୋରାପୁଟ ଜିଲ୍ଲାର ତରୁଣ କୁମାର ଦାସଙ୍କୁ ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୨୦୩୬ ସୁଦ୍ଧା ଓଡିଶାରୁ ଅତି କମ୍‌ରେ ୧୦ ଜଣ ଅଲମ୍ପିଆଡ୍‌ ସୃଷ୍ଟି କରିବା ପାଇଁ ନବନିଯୁକ୍ତ କ୍ରୀଡା ପ୍ରଶିକ୍ଷକମାନଙ୍କୁ ଆହ୍ୱାନ ଦେଇଥିଲେ । ଉପ-ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେଯେ, ୨୦୩୬ ପାଇଁ ଆପଣମାନେ ସ୍ୱପ୍ନ ଠାରୁ ସଂକଳ୍ପ ବଡ ରଖନ୍ତୁ । ନବନିଯୁକ୍ତଙ୍କ ଜରିଆରେ ରାଜ୍ୟବାସୀ ନୂଆ ଧରଣର ସେବା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ ।


   ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ କହିଥିଲେଯେ, ଆଜିଠାରୁ ଆପଣଙ୍କ ପରୀକ୍ଷକ ହେବେ ସାଧାରଣ ଜନତା । ସାଧାରଣ ଜନତାଙ୍କ ସ୍ୱୀକୃତି ଅନ୍ୟ ସମସ୍ତ ସାର୍ଟିଫିକେଟ୍‌ ଠାରୁ ବହୁ ଉର୍ଦ୍ଧ୍ୱରେ ବୋଲି ସେ ନବନିଯୁକ୍ତଙ୍କୁ ପ୍ରେରଣା ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବ ନିଯୁକ୍ତଙ୍କୁ ସତ୍ୟ, ନିଷ୍ଠା ଓ କର୍ତ୍ତବ୍ୟପରାଣୟତାର ସହ ଦାୟିତ୍ୱ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଅତିଥିମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ । ନବନିଯୁକ୍ତଙ୍କ ମଧ୍ୟରୁ ବଲାଙ୍ଗିର ଜିଲ୍ଲାର ଧ୍ରୁପଦ କୁମାର ବେହେରା, କଟକ ଜିଲ୍ଲାର ଭାଗ୍ୟଶ୍ରୀ ସ୍ୱାଇଁ, ଯାଜପୁର ଜିଲ୍ଲାର ଦେବମୃତ ସାହୁ ଏବଂ ଗଞ୍ଜାମ ଜିଲ୍ଲାର ମନୀଷା ନାୟକ ରାଜ୍ୟ ସରକାରଙ୍କ ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପଦ୍ଧତି ଯୋଗୁ ନିଯୁକ୍ତି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଏନ୍‌. ଥିରୁମାଲା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।