ମହାରାଜ କଂସଙ୍କୁ ହିସାବ ଦେଲେ ମୋହନ
-
୧୩୬୨ କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ
-
ଦୁର୍ନୀତିଖୋରଙ୍କୁ ମଞ୍ଚରୁ ଚେତାବନୀ; ସୁଧୁରି ଯାଅ, ନହେଲେ ଭିଜିଲାନ୍ସର ଖଣ୍ଡା ବୁଲୁଛି
ଭୁବନେଶ୍ୱର : ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାର ଆଜି ସପ୍ତମ ଦିନରେ ଦର୍ଶକମାନେ ଏକ ନିଆରା ଦୃଶ୍ୟ ଦେଖିବାକୁ ପାଇଥିଲେ । କଂସ ମହାରାଜ ତାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କଳିଙ୍ଗ ସମ୍ରାଟ ଭାବେ ସମ୍ୱୋଧନ କରି ପଚାରିଥିଲେ ମଥୁରା ନଗରୀ (ବରଗଡ) ର ବିକାଶ ପାଇଁ କି ପଦକ୍ଷେପ ନିଆଯାଇଛି । ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେଯେ, ମଥୁରା (ବରଗଡ)ର ଉନ୍ନତି ପାଇଁ ଆଜି ସମୁଦାୟ ପ୍ରାୟ ୧୩୬୨ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ୧୨୩ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହାସହିତ ୩୮୦ କୋଟିର ୪ ନୂଆ ପ୍ରକଳ୍ପ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।ବରଗଡରେ ଆଜି ୯୮୦ କୋଟି ୫୮ ଲକ୍ଷ ଟଙ୍କା ବିନିଯୋଗରେ ସମୁଦାୟ ୮୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ୩୮୨ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ୩୮ ଟି ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ମହିଳାମାନଙ୍କ ପାଇଁ ହୋଇଥିବା ସୁଭଦ୍ରା ଯୋଜନାରେ ମଥୁରା ନଗରୀ (ବରଗଡ)ର ୩,୪୧, ୬୧୪ ଜଣ ମା’ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପାଇଛନ୍ତି । ସେହିପରି, ୨୦୨୪-୨୫ ଖରିଫ୍ ଓ ରବି ଋତୁରେ ବରଗଡର ୨,୪୧, ୧୩୫ ଜଣ ଚାଷୀଙ୍କ ଠାରୁ ୧୩,୯୯,୦୦୦ ମେଟ୍ରିକ୍ ଧାନ ସଂଗ୍ରହ କରାଯାଇ ଇନ୍ପୁଟ୍ ସହାୟତା ସହିତ ୪୩୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ହିସାବ ଦେଇଥିଲେ । ଏଭଳି ଆର୍ଥିକ ସହାୟତା ପୂର୍ବରୁ କେବେ ବି ଦିଆଯାଇନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିରେ ସନ୍ତୋଷପ୍ରକାଶ କରି କଂସ ମହାରାଜ କହିଲେ ‘ଆତ୍ମତୃପ୍ତି ଲାଭ କଲା ମହାବୀର କଂସାସୁର’।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ବରଗଡ ପାଇଁ ନୂଆ ପ୍ରକଳ୍ପ ଘୋଷଣା କରି କହିଥିଲେ ଯେ, ୧୩୨ କୋଟି ଟଙ୍କା ବ୍ୟୟ ବରାଦରେ ଜିରା ନଦୀ ଉପରେ ଏକ ସ୍ୱେ୍ୱରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ଏହା ସହିତ ୩୦ କୋଟି ଟଙ୍କା ବ୍ୟୟରେ ବରଗଡ ମ୍ୟୁନିସିପାଲଟିର ହାଟପଦା ଠାରେ ଏକ ଭେଣ୍ଡିଙ୍ଗ୍ ଜୋନ୍ର ବିକାଶ କରାଯିବ । ୬୫ କୋଟି ଟଙ୍କା ବିନିଯୋଗରେ ବରଗଡ ସଦରରେ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ଏକ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ନିର୍ମାଣ କରାଯିବ ଓ ଗ୍ରୀଣ୍ଡୋଲା ଠାରେ ୧୫୦ କୋଟି ଟଙ୍କା ବିନିଯୋଗରେ ଏକ ଅନ୍ତନଦୀ ଜଳାଶୟ ନିର୍ମାଣ କରାଯିବ । ସୂଚନାଯୋଗ୍ୟଯେ, ଏହି ୪ ପ୍ରକଳ୍ପ ପାଇଁ ପ୍ରାୟ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯାତ୍ରା ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ଏକ ପ୍ରକୃଷ୍ଟ ନିଦର୍ଶନ । ଏହି ଉତ୍ସବ ପାଇଁ ଅନୁଦାନ ରାଶି ଏକ କୋଟି ଟଙ୍କାରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ୨୦୦ ପ୍ରମୁଖ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯାଇଛି । ଏକ ବଡ ପ୍ରତିଶ୍ରୁତି ଥିଲା ଧନୁଯାତ୍ରା ପାଇଁ ରଙ୍ଗମହଲ ନିର୍ମାଣ । ଆଜି ଏହାର ମଧ୍ୟ ଶିଳାନ୍ୟାସ ହେଲା ଆଉ ସେଥିପାଇଁ ପ୍ରାୟ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏବଂ ଏହା ସାରା ବିଶ୍ୱରେ ଶ୍ରେଷ୍ଠ ରଙ୍ଗମହଲ ଭାବେ ପରିଚୟ ସୃଷ୍ଟି କରିବ। ୟୁନେସ୍କୋ ଦ୍ୱାରା ବିଶ୍ୱ ଦରବାରରେ କିଭଳି ମାନ୍ୟତା ପାଇବ, ସେଥିପାଇଁ ଆମେ ଚେଷ୍ଟା ଜାରି ରଖିଛୁ ଏବଂ ଏଥିରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ।
ରାଜ୍ୟର ଦୁର୍ନୀତିଖୋର୍ କର୍ମଚାରୀମାନଙ୍କୁ କଂସ ମହାରାଜଙ୍କ ଦରବାରରୁ ଭିଜିଲାନ୍ସର ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ ସୁଧୁରି ଯିବାପାଇଁ କହିଛନ୍ତି ଏବଂ ଆହ୍ୱାନ ଦେଇଛନ୍ତିଯେ, ସରକାରୀ କର୍ମଚାରୀମାନେ ଜନସେବାକୁ ପ୍ରାଥମିକତା ଦିଅନ୍ତୁ । ଭାରତର ସଂସ୍କୃତି ଓ ପରମ୍ପରାକୁ ପୁର୍ନଜାଗୃତି ପାଇଁ ମୋଦୀଜୀ ବ୍ୟକ୍ତିଗତ ସ୍ତରରେ ତଥା ତାଙ୍କ ନେତୃତ୍ୱାଧୀନ ସରକାର ଅନେକ କାର୍ଯ୍ୟ କରିଛନ୍ତି । ପୁଣ୍ୟଭୂମି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର, କୁମ୍ଭମେଳାକୁ ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଯାତ୍ରା, କାଶୀ ବିଶ୍ୱନାଥ ମନ୍ଦିରର ପୁନଃନିର୍ମାଣ, ମଥୁରା, ମହାକାଳ ପରି ବିଶ୍ୱ ବିଖ୍ୟାତ ମନ୍ଦିରର କୟାକଳ୍ପ, ଉତ୍ତର ଭାରତର ଚାରିଧାମ ଯାତ୍ରାପଥର ଉନ୍ନତିକରଣ ଏହି ସାଂସ୍କୃତିକ ରାଷ୍ଟ୍ରବାଦର ପ୍ରକୃଷ୍ଟ ଉଦାହରଣ । ମୋଦୀଜୀଙ୍କ ‘ବିକାଶ ଭି, ବିରାଶତ ଭି’ ମନ୍ତ୍ରରେ ଉଦ୍ବୁଦ୍ଧ ହୋଇ ଆମ ସରକାର ‘ଓଡିଆ ଅସ୍ମିତା’କୁ ଶାସନ-ପ୍ରଶାସନର ଏକ ଅଭିନ୍ନ ଅଙ୍ଗଭାବେ ବିବେଚନା କରୁଛନ୍ତି । ସେ ପୁଣି କହିଥିଲେ, ବରଗଡ ସହରରେ ଅନେକ ମନୋରମ ତୋରଣ ନିର୍ମାଣ ହୋଇଛି । ଏହା ସହରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଛି । ଏହା ସହିତ ଧନୁଯାତ୍ରା ଉପରେ ଅଧ୍ୟୟନ କରିବା ପାଇଁ ନାସନାଲ ସ୍କୁଲ ଅଫ ଡ୍ରାମାରୁ ଡାଇରେକ୍ଟର ଏବଂ ଆସିଷ୍ଟାଣ୍ଟ ଡାଇରେକ୍ଟରମାନେ ଆସିଛନ୍ତି । ଏହା ଉପରେ ସେମାନେ ଅଧ୍ୟୟନ କରିବେ, ରିପୋର୍ଟ ଦେବେ ଏବଂ ଏହାର ଉପଯୁକ୍ତ ଡକୁମେଣ୍ଟେସନ୍ କରାଯିବ ।
ଏହି କାର୍ଯ୍ୟକ୍ରମ ଅବସରରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ଏବଂ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
Samir Kumar Rout