ନବୀନ ନିବାସରୁ ଏହି ନେତାଙ୍କୁ ଆସିଲା ଡାକରା

ନବୀନ ନିବାସରୁ ଏହି ନେତାଙ୍କୁ ଆସିଲା ଡାକରା

ଭୁବନେଶ୍ୱର :  ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ ଯୋଗ ଦେବାକୁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କୁ ସୁପ୍ରିମୋଙ୍କ ଡାକରା ଯାଇଥିଲା। ଡାକରା ପାଇ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି। ଏଥିସହିତ ପ୍ରତାପ ଦେବ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଅଛନ୍ତି। ବିଜେଡିର ରାଜ୍ୟ ସଭାପତି ଭାବେ ନବୀନ ପଟ୍ଟନାୟକ ୯ମ ଥର ଲାଗି ଶନିବାର ନିର୍ବାଚିତ ହୋଇଛନ୍ତି।

ଜଣେ ମାତ୍ର ପ୍ରାର୍ଥୀ ଭାବେ ନବୀନ ଏହି ପଦ ଲାଗି ନାମାଙ୍କନପତ୍ର ଦାଖଲ କରିଥିଲେ। ନବୀନ ସଭାପତି ନିର୍ବାଚିତ ହେବାପରେ ଶଙ୍ଖ ଭବନଠାରେ ତାଙ୍କ ନେତୃତ୍ୱରେ ଦଳର ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ହେଲେ ୨୪ ବର୍ଷରେ କ୍ଷମତାରେ ରହିଥିବା ବିଜେଡି ଏବେ ବିରୋଧୀ ଦଳକୁ ଆସିବା ପରେ ନବୀନଙ୍କ ଟିମ୍‌ରେ କେଉଁମାନେ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ନବୀନ ପଟ୍ଟନାୟକ ସଭାପତି ହେବା ପରେ ଦଳର ବହୁ ବରିଷ୍ଠ ନେତା ଶଙ୍ଖ ଭବନ ଆସିନାହାନ୍ତି, ଯାହାକୁ ନେଇ ଦଳ ଭିତରେ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ଧରିଛି। ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରଫୁଲ୍ଲ ମଲିକ, ଭୂପେନ୍ଦ୍ର ସିଂ, ପ୍ରଫୁଲ ସାମଲ, ନୃସିଂହ ସାହୁଙ୍କ ଭଳି ଅନେକ ନେତାଙ୍କୁ ଶଙ୍ଖଭବନରେ ଦେଖିବାକୁ ମିଳି ନ ଥିଲା। ଦଳର ଜଣେ ବିଧାୟକ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପ୍ରିୟ ଏବେ ଏତେ ଅପ୍ରିୟ ହେଲେ କିପରି? 

 ଯେଉଁମାନଙ୍କୁ ନବୀନ ବାରମ୍ବାର ସରକାର ସମୟରେ ମନ୍ତ୍ରୀ କରି ଦେଉଥିଲେ ସେମାନେ ଏବେ ଦଳଠାରୁ ଦୂରେଇ ଗଲେଣି। ତେବେ କେଉଁଥିଲାଗି ସେମାନଙ୍କୁ ଦଳ ଦୀର୍ଘଦିନ ଧରି ଗୁରୁତ୍ୱ ଦେଇଆସୁଥିଲା ସେନେଇ ଦଳ ଭିତରେ ଟୁପୁରୁଟାପର ଚାଲିଛି। ରାଜ୍ୟ ପରିଷଦ ବୈଠକରେ କିଛି ସେପରି ଆଲୋଚନା ହେଲା ନାହିଁ। ପୁଣିଥରେ ନବୀନ ଦଳୀୟ କର୍ମୀମାନଙ୍କୁ ଅସନ୍ତୋଷ କରିଛନ୍ତି। ନବୀନ ସଭାପତି ହେବାପରେ ଯେଉଁ ଭାଷଣ ରଖିଲେ, ସେଥିରେ ସେ ପଦୁଟିଏ କେନ୍ଦ୍ର ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ସାହସ ଜୁଟାଇପାରିଲେ ନାହିଁ। କେମିତି କର୍ମୀମାନେ ଦଳ ଉପରେ ଭରସା କରିରହିବେ ବୋଲି ସମ୍ପୃକ୍ତ ବିଧାୟକ ପ୍ରଶ୍ନ କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଦଳର ସଭାପତି ଭାବେ ସେବା କରିବାର ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ୨୪ ବର୍ଷ ଲୋକଙ୍କ ସେବା କରିବାର ସୁଯୋଗ ପାଇଲା। ରାଜ୍ୟର ସ୍ବାଭିମାନ ଏବଂ ସ୍ବାର୍ଥ ସହ ବିଜେଡି ସବୁବେଳେ ଯୋଡ଼ି ହୋଇ ରହିବ ବୋଲି ସେ କହିଛନ୍ତି।