ନବୀନଙ୍କ ସହ ହାତ ମିଶାଇବେ ଭକ୍ତ ଦାସ?
ରାଜ୍ୟରେ ବିଜେପିର ବର୍ଷକର ମୋହନ ସରକାରକୁ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ପିସିସି ସଭାପତି ଭକ୍ତଚରଣ ଦାସ ଏଥିପାଇଁ ନବୀନଙ୍କ ବିଜେଡି ସହ ହାତ ମିଶାଇବାକୁ ମଧ୍ୟ ଇସାରା ଦେଇଛନ୍ତି । ସିଧା ସିଧା କହିଛନ୍ତି ବିଜେଡି ବିଧାନସଭାରେ ଅନାସ୍ଥା ଆଣୁ ଯାହାକୁ କି କଂଗ୍ରେସ ସମର୍ଥନ କରିବ । ନହେଲେ କଂଗ୍ରେସ ଯଦି ଅନାସ୍ଥା ପ୍ରସ୍ତାବ ଆଣୁଛି, ତେବେ ବିଜେଡି ଏହାକୁ ସମର୍ଥନ କରୁ ବୋଲି ଭକ୍ତ ଦାସ କହିଛନ୍ତି । ଯାହା ପରେ ଚର୍ଚ୍ଚା ବଢ଼ିଛି ଯେ, ସତରେ କଣ ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେଇଯିବେ ଶଙ୍ଖ ଆଉ ହାତ ? ବୁଧବାର ଭକ୍ତ ଦାସ କହିଥିଲେ ଆମର ଯଦି ବିଜେଡି ଭଳି ୫୧ ବିଧାୟକ ଥାନ୍ତେ, ତେବେ ଆମେ ସରକାର ଭାଙ୍ଗି ଦେଇଥାନ୍ତୁ । ନାରୀକୁ ନ୍ୟାୟ ଦେବାକୁ କଂଗ୍ରେସର ସଂଗ୍ରାମ ଜାରି ରହିଛି । ତେବେ ବିଜେଡି ଯଦି ନାରୀଙ୍କୁ ପ୍ରକୃତରେ ନ୍ୟାୟ ଦେବାକୁ ଚାହୁଁଛି, ତେବେ ସରକାର ବିରୋଧରେ ଅନାସ୍ଥା ଆଣୁ ବୋଲି ଭକ୍ତ ଦାସ ଆହ୍ୱାନ ଦେଇଥିଲେ । ଆଉ ଏଥିପାଇଁ ସେ ବିଜେଡିକୁ ସମର୍ଥନ ଦେବେ ବୋଲି ମଧ୍ୟ ଖୋଲା ଘୋଷଣା କରିଥିଲେ ।
ଭକ୍ତ ଦାସଙ୍କ ଏମିତି ବୟାନ ପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି ଯେ, ବିଜେପି ସରକାର ଭାଙ୍ଗିବାକୁ ଏକାଠି ହେବେ କି, କଂଗ୍ରେସ ଆଉ ବିଜେଡି ? ଗୋଟିଏ ପଟେ ବିଜେଡି ପାଖରେ ୫୧ ଜଣ ବିଧାୟକ ଅଛନ୍ତି ଆଉ କଂଗ୍ରେସ ପାଖରେ ୧୪ ବିଧାୟକ । ଦୁଇ ଦଳର ବିଧାୟକଙ୍କୁ ମିଶାଇଲେ ବି ଅନାସ୍ଥା ଭୋଟ ସରକାର ବିପକ୍ଷରେ ଯିବା ସମ୍ଭବ ନୁହେଁ । କାହିଁକି ନା ଏବେ ମୋହନ ସରକାର ପାଖରେ ୭୮ ବିଧାୟକ ରହିଥିବାବେଳେ, ୩ ସ୍ୱାଧୀନ ବିଧାୟକଙ୍କର ମଧ୍ୟ ସମର୍ଥନ ରହିଛି । ଆଉ ଏହାକୁ ନେଇ ମୋହନଙ୍କ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି ଯେ, ବିରୋଧୀ ଯଦି ଅନାସ୍ଥା ଆଣନ୍ତି ତେବେ ନିଜେ କ୍ଷତାକ୍ତ ହେବେ ।
ଲଗାତାର ରାଜ୍ୟରେ ଦୁଷ୍କର୍ମ ଓ ନାରୀ ସୁରକ୍ଷାକୁ ନେଇ ଉଠୁଛି ପଡୁଛି ରାଜନୀତି । ଆଉ ଏହାରି ଭିତରେ ଭକ୍ତ ଦାସଙ୍କ ଏ ସରକାର ଭାଙ୍ଗିବାର ଫର୍ମୁଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଖାସ୍ କରି ବିଜେଡି ସହ ହାତ ମିଳାଇବାକୁ କଂଗ୍ରେସ କେମିତି ନିଷ୍ପତ୍ତି ନେଲା ତାକୁ ନେଇ ଚର୍ଚ୍ଚା ବଢ଼ିଛି ।