ନବୀନଙ୍କୁ ଭେଟିଲେ ମୋହନ: ସ୍ୱାସ୍ଥ୍ୟ କଥା ବୁଝିଲେ, ସୁସ୍ଥତା କାମନା କଲେ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କର ସୁସ୍ଥତା କାମନା କରିଛନ୍ତି । ସେ ନବୀନଙ୍କ ପଚାରିଥିଲେ, ‘ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି’ । ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଥିଲେ, ‘ମୁଁ ସୁସ୍ଥ ଅନୁଭବ କରୁଛି’ । ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ନିରାମୟ ଜୀବନ ନିମନ୍ତେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସୂଚନାଯୋଗ୍ୟଯେ, ବିରୋଧୀ ଦଳ ନେତା ଦେହ ଅସୁସ୍ଥ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିସôିତ ହୋଇ ଫେରିଛନ୍ତି । ତେଣୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନ ନିବାସ ଯାଇ ତାଙ୍କୁ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧୦ ମିନିଟ ଧରି ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସମୟରେ ‘ନବୀନ ବାବୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି’ ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ । ସେହି ସମୟରେ ଶ୍ରୀ ପଟ୍ଟନାୟକ ମୁମ୍ବାଇରେ ଚିକିସôାଧୀନ ଥିଲେ । ମୁଖ୍ୟମନ୍ତ୍ରୀ ଆଗାମୀ ବିଧାନସଭା ଅଧିବେଶନ ଯେପରି ସୁରୁଖୁରୁରେ ପରିଚାଳିତ ହେବ, ସେଥିନେଇ ସହଯୋଗ କାମନା କରିଥିଲେ ।