ଅମଲା ଆନେ୍ଦାଳନ ପଛରେ ବିଜେଡ଼ି : ସୁରେଶ ପୂଜାରୀ

 ଭୁବନେଶ୍ୱର: ୧୩ ଦିନ ଧରି ସାରା ରାଜ୍ୟରେ ଅମଲା ଆନେ୍ଦାଳନ ଜାରିରହିଛି  । ଫଳରେ ଅନେକ ସ୍ଥାନରେ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଯାଇଛି  । ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅମଲା ସଂଘଙ୍କ ସହ କଥା ହୋଇଥିବାବେଳେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି  । ସେ ସିଧାସିଧା କହିଛନ୍ତି, ଏହି ଆନେ୍ଦାଳନ ପଛରେ ବିଜୁ ଜନତା ଦଳ ରହିଛି  । ତେବେ ଏଭଳି ଆନେ୍ଦାଳନ କରି ସେମାନେ ସରକାରଙ୍କୁ ଅକଳରେ ପକାଇପାରିବେ ନାହିଁ ବୋଲି ସୁରେଶ କହିଛନ୍ତି  । ସେହିପରି ସୋମବାର ଅମଲାମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସେ ସୂଚନା ଦେଇଛନ୍ତି  । ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତିଯେ, କିଛି ସଂଘର ନେତା ବିଜେଡ଼ି ଦ୍ୱାରା ପରିଚାଳିତ ହେଉଛନ୍ତି  । ବିଜେଡ଼ି ଦ୍ୱାରା ପ୍ରେରିତ ହୋଇ ଆନେ୍ଦାଳନ କରୁଛନ୍ତି  । ସେମାନେ ପ୍ରକୃତରେ ସମସ୍ୟାର ସମାଧାନ ଚାହୁଁନାହାନ୍ତି  । କ୍ୟାଡ଼ର ପୁନଃଗଠନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିବା କହି ସଂଘକୁ ଭୁଲବାଟରେ ନେଉଛନ୍ତି  । ସେମାନଙ୍କୁ ଚିହ୍ନନ୍ତୁ  । କିଛି ଲୋକ ଭାବୁଛନ୍ତି, ଏବେବି ବିଜେଡ଼ି ସରକାର ଚାଲିଛି  । ୮ ହଜାର ଅମଲାଙ୍କୁ ଆନେ୍ଦାଳନକୁ ଓହ୍ଲାଇ ସେମାନେ ସରକାରଙ୍କୁ ହଇରାଣରେ ପକାଇଦେବେ ବୋଲି ଭାବୁଛନ୍ତି  । ସୋମବାର ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସୁରେଶ କହିବା ସହ ଯେଉଁମାନେ କାର୍ଯ୍ୟରେ ଯୋଗଦେବେ ନାହିଁ ସେମାନଙ୍କୁ ସମ୍ଭାଳିବାକୁ ରାଜସ୍ୱ ବିଭାଗ ପାଖରେ ଅନେକ ଅସ୍ତ୍ର ଅଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଚେତାବନୀ ଦେଇଛନ୍ତି  । ଅପରପକ୍ଷରେ ବିଜେଡ଼ି ପକ୍ଷରୁ କୁହାଯାଇଛିଯେ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅପାରଗତା ଯୋଗୁ ସମସ୍ୟାର ସମାଧାନ ହୋଇପାରୁନାହିଁ  । କିନ୍ତୁ ନିଜ ଦୋଷକୁ ଲୁଚାଇବାକୁ ଯାଇ ବିଜେଡି ଆଡକୁ ଇଙ୍ଗିତ କରୁଛନ୍ତି  । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ  ।