ନାଉସିରାରେ ହେବ ଟେକ୍ସଟାଇଲ୍ ମିଲ୍  ; ନିଯୁକ୍ତି ପାଇବେ ସ୍ଥାନୀୟ ଲୋକ: ସମ୍ପଦ

 ତିର୍ତ୍ତୋଲ : ତିର୍ତ୍ତୋଲ ଅଞ୍ଚଳର ସର୍ବବୃହତ୍ତମ ଶିଳ୍ପାନୁଷ୍ଠାନ ନାଉସିରା ସ୍ଥିତ ସାରଳା ସମବାୟ ସୂତାକଳ ଦୀର୍ଘ ୨୬ ବର୍ଷ ଧରି ଅଚଳ ଅବସ୍ଥାରେ ପଡିରହିଥିବା ବେଳେ ଏଥିରେ କାମ କରୁଥିବା ପ୍ରାୟ ୧୫୦୦ ଶହ ଲୋକ ନିଯୁକ୍ତି ହରାଇ ଦୂର୍ବିଶଃହ ଜୀବନ ଅତିବାହିତ କରୁଥିଲେ । ଏହାର ପୁନଃ ନିର୍ମାଣ ପାଇଁ ଦାବି କରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ କଂଗ୍ରେସ । ଦଳର ପ୍ରାର୍ଥୀ ଇଂ ହିମାଂଶୁ ଭୁଷଣ ମଲ୍ଲିକ ସୂତାକଳ ଫାଟକ ସମ୍ମୁଖରେ ଆମରଣ ଅନଶନ ଠାରୁ ଆରମ୍ଭ କରି ସେଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରି ଆନେ୍ଦାଳନ ଜାରି ରଖିଥିଲେ । ଅପେକ୍ଷା, ପ୍ରତୀକ୍ଷା ଓ ଆଶା ଆଶଙ୍କାର ଅବସାନ ଘଟାଇ ଶନିବାର ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ  ଏଠାରେ ପହଞ୍ଚି ସୂତାକଳ ସ୍ଥାନରେ ଏକ ଉନ୍ନତ ମାନର ଟେକ୍ସସଟାଇଲ୍ ମିଲ ପ୍ରତିଷ୍ଠା ହେବ ବୋଲି ଗଣମାଧ୍ୟମ ଆଗରେ ଘୋଷଣା କରିଛନ୍ତି । ଏହି କାରଖାନାରେ ପାଖା ପାଖି ଅଢ଼େଇହଜାର ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ନିଯୁକ୍ତ ପାଇବେ । ଏହି ବିଶାଳ ପ୍ରକଳ୍ପର ଅଗ୍ରଗତି ନିମନ୍ତେ ଇଡକୋର ବିଭାଗୀୟ ପଦାଧିକାରୀ ମାନେ ସହାୟତାର ହାତ ବଢ଼େଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ମନ୍ତ୍ରୀଙ୍କ ସହିତ ଜିଲ୍ଲାପାଳ ଜେ ସୋନାଲ, ଇଡକୋ ସିଜିଏମ୍ ସରୋଜ କୁମାର ସେଠୀ, ସୁରେଶ ଚନ୍ଦ୍ର ଦଳେଇ, ପାରାଦୀପ ଡିଏଚ୍ ଇଡିକୋ ହେମନ୍ତନାଥ ସିଂହ ଓ ତହସିଲଦାର ମହେଶ୍ୱର ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।