ପ୍ରବାସୀ ଭାରତୀୟ ସମ୍ମିଳନୀ: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ

ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ବୁଧବାରଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଅଛନ୍ତି। ଯୁବ ସମାବେଶରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଦିବସର ବିଷୟ ବସ୍ତୁ ରହିଛି ‘ବିକଶିତ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଯୋଗଦାନ’। ଏଥିରେ ଯୋଗଦେବାକୁ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରାୟ ୫୦ଟି ଦେଶରୁ ପ୍ରବାସୀ ଭାରତୀୟ ବଂଶୋଦ୍ଭବ ଭୁବନେଶ୍ୱରରେ ପଦାର୍ପଣ କରିଛନ୍ତି। ଏଥିପାଇଁ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଛି।
ଆସନ୍ତା ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ମହାସମାବେଶ ଚାଲିବ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥ ମନ୍ତ୍ରୀ ର୍ନିମଳା ସୀତାରମଣ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ପ୍ରମୁଖ ଏହି ପ୍ରବାସୀ ଭାରତୀୟ ଦିବସ ଉତ୍ସବରେ ଯୋଗଦେବେ।