ବିନା ସୂଚନା ଫଳକରେ ଚାଲିଛି ପଥର ପ୍ୟାକିଂ

 ସିଂହପୁର : ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁହ ପଞ୍ଚାୟତ ବଡ଼ମଲ୍ଲିପୁର ଖରସ୍ରୋତା ନଦୀ ବନ୍ଧରେ ନିର୍ମାଣ ହେଉଥିବା ପଥର ପ୍ୟାକିଂ ବିନା ସୂଚନା ଫଳକରେ ଚାଲିଛି । ସର୍ବସାଧାରଣଙ୍କୁ କାର୍ଯ୍ୟର ସବିଶେଷ ବିବରଣୀ ସଂପର୍କରେ ଅଗୋଚରରେ ରଖି ଠିକାଦାର ଅତି ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହେଉଛି । ବଣମଲ୍ଲିପୁର ନଦୀ କୂଳିଆ ହରିଜନ ସାହିର ଜନସାଧାରଣ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  । ଅଭିଯୋଗ ଏହା ସରକାର ନଦୀ ବନ୍ଧ ସୃଦୁଢି କରଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିବା ବେଳେ ବନ୍ୟାରେ ପ୍ରଭାବିତ ଏହି ନଦୀ ବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର କରାଯାଉଛି । କାର୍ଯ୍ୟର ସୂଚନା ଫଳକ ନାହିଁ ଠିକାଦାର କେତେ ଟଙ୍କାର କାର୍ଯ୍ୟ କରୁଛନ୍ତି ଜନସାଧାରଣ ମାନେ ଜାଣିପାରୁନାହାନ୍ତି । ନିମ୍ନ ମାନର ଛୋଟ ଛୋଟ ପ୍ରଥର ବ୍ୟବହୃତ ହେଉଛି । ଯାହାର ସ୍ଥାୟତ୍ୱକୁ ନେଇ ସନେ୍ଦହ ଉପୁଜିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ ଚନ୍ଦ୍ରମୁଁହ ପଂଚାୟତ ଖରସ୍ରୋତା ନଦୀ ବଡ଼ମଲିପୁର ସ୍ଥିତ ପୋଲ ନିକଟସ୍ଥ ନଦୀବନ୍ଧରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆନୁମାନିକ ପ୍ରାୟ ୧କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଛି । ନଦୀ କୂଳ ଖାଇଯାଉଥିବାରୁ ବିଭିନ୍ନ ସମୟରେ ନଦୀର ପାଣି ଗ୍ରାମ ଭିତରେ ପଶିବା ସହ ଗତି ପଥ ବଦଳାଇ ଦେଉଥିବାରୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଉଛି । କିନ୍ତୁ ଦୁର୍ନୀତିକୁ ଆପଣାଇଥିବା ଠିକାଦାର ସୂଚନା ଫଳକ ମାରିବାକୁ ମନ ବଳାଉନଥିବା ବେଳେ ବିଭାଗ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନି । ସବୁଠୁ ବଡ କଥା ହେଲା କାମ ସମୟରେ କୌଣସି ଅଧିକାରୀ ଉପସ୍ଥିତ ରହୁ ନାହାନ୍ତି । ଗ୍ରାମବାସୀ କହିଛନ୍ତି ଯଦି ବିଭାଗୀୟ ଅଧିକାରୀ ଉକ୍ତ କାର୍ଯ୍ୟକୁ ତଦନ୍ତ କରି ଉପଯୁକ୍ତ ପଦକ୍ଷପ ଗ୍ରହଣ ନକରନ୍ତି, ତେବେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବେ ।