ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି
ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାରିପଦା ପୌରପରିଷଦ ଏଷ୍ଟାବ୍ଲିଶମେଂଟ ବିଭାଗର ବରିଷ୍ଠ କିରାଣୀ ଗୋପାଳ କୃଷ୍ଣ ପ୍ରଧାନ ଲାଞ୍ଚ ନେବାବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନା ସତ୍ୱ ପରିବର୍ତ୍ତନ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ବିଭାଗ । ସୂଚନା ଅନୁଯାୟୀ, ବାରିପଦା ପୁରୁଣା ହାଟସାହିର ମହମ୍ମଦ ଜାଭିରଙ୍କ ପିତାଙ୍କ ମୃତୁ୍ୟ ପରେ ମୁ୍ୟନସିପାଲିଟୀର ଦୋକାନ ଗୃହକୁ ନିଜ ନାମରେ କରିବା ପାଇଁ କିରାଣୀଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ । ଦୁଇ ବର୍ଷ ଧରି କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ନିଜ ନାମରେ ପରିବର୍ତ୍ତନ କରିପାରିନଥିଲେ । ଏନେଇ କିରାଣୀ ଜଣକ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମହମ୍ମଦ ଜାଭିର ଅସହାୟ ହୋଇ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ବାରିପଦା ଭିଜିଲାନ୍ସ ବିଭାଗର ୟୁନିଟ ଇନଚାର୍ଜ ବିକାଶ ସ୍ୱାଇଁ ପୂର୍ବ ପ୍ରସ୍ତୁତି ଓ ଯୋଜନାକୁ ନେଇ ମୁ୍ୟନସିପାଲିଟୀ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ମାଡିବସିଥିଲା । ତାଙ୍କ ନିକଟରୁ କେମିକାଲ ବୋଳା ସମସ୍ତ ୧୦ହଜାର ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି । ଏହା ପରେ କାର୍ଯ୍ୟାଳୟ, ନିଜସ୍ୱ ବାସଗୃହ ସମେତ ବଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।