ଭାର ସମ୍ଭାଳୁନି ବାଉଁଶ: ବିପଦପୂର୍ଣ୍ଣ ଭାବେ ଝୁଲୁଛି ବିଦୁ୍ୟତ୍ ତାର
ଦାନଗଦୀ: ଏହି ବ୍ଲକ ଧୂଳିଗଡ଼ ପଞ୍ଚାୟତ ମାନଗୋବିନ୍ଦପୁର ଗାଁର ମଠସାହିରୁ ଧପଙ୍କି ଯାଇଥିବା ବିଦୁ୍ୟତ ଖୁଣ୍ଟିରେ ତାର ଗୁଡିକ ବିପଦପୂର୍ଣ୍ଣ ଭାବେ ଝୁଲୁଛି । ଦାନଗଦୀ ଟାଟା ପାୱାର ବିଦୁ୍ୟତ ବିଭାଗ ଅଧିନରେ ଥିବା ଏହି ଅଞ୍ଚଳରେ ଏପରି ଦେଖିବାକୁ ମିଳିଛି । ମଠସାହି ପଛପଟୁ ଧପଙ୍କି ଗାଁକୁ ଯାଇଥିବା ତିନୋଟି ତାର ତଳକୁ ଝୁଲି ରହୁଥିବା ବେଳେ ତାର ମଝିରେ ବାଉଁଶ ଦିଆଯାଇଛି । ହେଲେ ବାଉଁଶ ତାର ଭାର ସମ୍ଭାଳିପାରୁନି । ମଝିରେ ମଝିରେ ତାର ଗୁଡିକ ଅନେକ ଜାଗାରେ ଯୋଡ଼ା ଯାଇଛି । କଣ୍ଟା ଗଛକୁ ଲାଗି ହାତ ପାଇଲା ଭଳି ଏତେ ପାଖରେ ତାର ଗୁଡିକ ପେଟେଇ ପଡ଼ିଛି । ସାମାନ୍ୟ ପବନ ବର୍ଷା ହେଲେ କେତେ ବେଳେ ବି ଛିଡି ଯାଇ କିଛି ଅଘଟଣ ଘଟି ଯାଇପାରେ । ତାର ତଳେ ପଡିଆରେ ଲୋକମାନେ ଯିବା ଆସିବା କରିବା ସହ ପଶୁ ସଂପଦ ଚର ବିଚରଣ କରୁଛନ୍ତି । ଅସୁରକ୍ଷିତ ଭାବେ ଭଗବାନଙ୍କ ଭରଷାରେ ଲୋକମାନେ ଯାତାୟାତ କରୁଛନ୍ତି । ଦାନଗଦୀ ସେକ୍ସନ ଯନ୍ତ୍ରୀ କିଛି ଦୁର୍ଘଟଣା ଘଟିବା ପୂର୍ବରୁ ଏଥିପ୍ରତି ଦୃଷ୍ଟି ଦେଇ ତାର ଗୁଡିକୁ ସିଧା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।