ନାବାଳିକାକୁ ଅପହରଣ କରି କୁକର୍ମ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୨୧ା୧୨ : ପ୍ରେମ ଜାଲରେ ଫସାଇ ଜଣେ ନାବାଳିକାକୁ ଅପହରଣ କରି ନେବା ସହ ବେଙ୍ଗାଲୁର ନେଇ ସେଠାରେ ତାଙ୍କ ଇଚ୍ଛା ବିରୋଧରେ ବାରମ୍ବାର କୁକର୍ମ । ଏନେଇ ଭରତପୁର ଥାନାରେ ନାବାଳିକାଙ୍କ ପରିବାର ନିଖୋଜ ମାମଲା ରୁଜୁକରିବା ପରେ ପୁଲିସ ତଦନ୍ତ ଚଳାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲା । ହେଲେ ଅଭିଯୁକ୍ତ ପୁଲିସ ହାତରୁ ଫେରାର ହୋଇଯାଇଥିବା ବେଳେ, ଆଜି ତାକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଯାଜପୁର ଜିଲ୍ଲାର ହିମାଂଶୁ ରାଉତ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀଙ୍କ ନାବାଳିକା କନ୍ୟା ଏବଂ ଅଭିଯୁକ୍ତ ହିମାଂଶୁ ରାଉତ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ଥିଲା । ଗତ ୨୦୨୩ ମସିହା ଏପ୍ରିଲ ମାସ ୩ ତାରିଖରେ ପୀଡ଼ିତା ନିଖୋଜ ହୋଇଯାଇଥିବା ବେଳେ, ୧୩.୪.୨୦୨୩ ତାରିଖରେ ଆଇଗିଣିଆ ଅନ୍ତର୍ଗତ ଆଳୁଗୋଦି ଅଞ୍ଚଳରୁ ଅଭିଭାବକ ମାନଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇଥିଲା । ପୁନଶ୍ଚ ୨୫.୮.୨୦୨୪ ତାରିଖ ଦିନ ପୀଡ଼ିତା ଜଣକ ନିଖୋଜ ହୋଇଯାଇଥିଲେ । ଏନେଇ ଅଭିଯୋଗକାରିଣୀ ପୁନର୍ବାର ଥାନାର ଦ୍ୱାରସ୍ତ ହୋଇଥିଲେ । ଫଳରେ ଭରତପୁର ଥାନା ପୁଲିସ ଗତ ୧୯ ତାରିଖ ଦିନ ଏକ ବିଶ୍ୱସ୍ତ ସୁତ୍ରରୁ ପୀଡ଼ିତା ଏବଂ ଅଭିଯୁକ୍ତ ଭୁବନେଶ୍ୱର ରେଲୁୱେ ଷ୍ଟେସନରେ ଥିବା ନେଇ ଖବର ପାଇଥିଲେ ଓ ସେଠାରେ ତୁରନ୍ତ ଚଢ଼ାଉ କରି ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ, ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲା । ଅଭିଯୁକ୍ତ ପୀଡ଼ିତାଙ୍କୁ ସାଙ୍ଗରେ ବେଙ୍ଗାଲୁରୁ ନେଇ ସେଠାରେ ତାଙ୍କ ଇଚ୍ଛା ବିରୁଧରେ ବାରମ୍ବାର କୁକର୍ମ କରିଥିଲା । ସେବେଠାରୁ ପୁଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ଆଜି ତାକୁ ବରମୁଣ୍ଡାରୁ ଗିରଫ କରାଯାଇଛି ।