ଗତକାଲି ରାତିରେ ବାଣ ଗୋଦାମ ବିସ୍ଫୋରଣ ଘଟଣା
ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ; ସିଲ ହେଲା ଗୋଦାମ
ଭୁବନେଶ୍ୱର, ୧୨ା୧୧ : ଭୁବନେଶ୍ୱର ଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଗତକାଲି ରାତିରେ ବେଆଇନ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରୁ ଏକାଧିକ ଜୀବନ ବର୍ତ୍ତି ଯାଇଥିବା ବେଳେ, ଏନେଇ ଘର ମାଲିକଙ୍କ ନାମରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଘର ମାଲିକ ବିଘ୍ନରାଜ ପଟ୍ଟନାୟକ ବିରୋଧରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଏଥିସହ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଟିମ । ସେପଟେ ଗୋଦାମ ଘରକୁ ସିଲ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୁଲିସ ।
ଏହାସହ ବାଣ ଗୋଦାମ ସହ ଘର ଭିତରେ କିଭଳି ଲେଡିଜ୍ ହଷ୍ଟେଲ୍ ଚାଲିଥିଲା ତାହାକୁ ନେଇ ମଧ୍ୟ ତନାଘନା ଚାଲିଛି । ଉକ୍ତ ଘରେ ୨୦ରୁ ଅଧିକ ଯୁବତୀ ଭଡାରେ ରହୁଥିଲେ । ସୌଭାଗ୍ୟ ବଶଃତ ଯେତେବେଳେ ବିସ୍ଫୋରଣ ଘଟିଲା,ସେତେବେଳେ ଘର ଭିତରେ କେହି ନଥିଲେ । ନଚେତ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇ ପାରିନଥାନ୍ତା । ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୁଲିସ । ସେପଟେ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାର ଯାଞ୍ଚ ଆରମ୍ଭ କରିଛି । ସୋମବାର ଭୟଙ୍କର ବାଣ ବିସ୍ପରଣରେ ଉଡିଯାଇଛି ଘରର ଛାତ,କାନ୍ଥ ଏବଂ ସବୁ ଝରକା । ଆଖପାଖ ଅଞ୍ଚଳରେ ମଧ୍ୟ ଅନେକ ଘର ଭାଙ୍ଗିଯାଇଛି । ଅଢେଇ ଘଣ୍ଟାରୁ ଅଧିକ ସମୟ ଅପରେସନ ପରେ ଅଗ୍ନିଶମ ବାହିନୀର ୪ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।