ପାର୍ସଲ ଆଣିବାକୁ ଯାଇଥିବା ମହିଳାଙ୍କୁ ଅସଦାଚରଣ; ୩ ଗିରଫ


ଭୁବନେଶ୍ୱର, ୨୬ା୧୦ : ଫ୍ଲିପକାର୍ଟ ସପିଂ ଆପ ଯୋଗେ ଏକ ମୋବାଇଲ ଫୋନ୍ ଅର୍ଡର କରିଥିବା ବେଳେ ଠିକ ସମୟରେ ଡେଲିଭର ନ ହେବାରୁ ମୋବାଇଲ ଆଣିବାକୁ ଏନଟେଏକ୍ସ ଟ୍ରାନ୍ସପୋର୍ଟେସନ ସର୍ଭିସ କମ୍ପାନୀକୁ ଯାଇଥିଲେ ଯୁବତୀ । ସେଠାରେ ତାଙ୍କୁ ପାର୍ସଲ ଦେବା ବଦଳରେ ୩ ଜଣ କର୍ମଚାରୀ ହଇରାଣ କରିବା ସହ ଟଣା ଓଟୋରା କରି ଅସଦାଚରଣ କରିବା ସହ ଏକ ରୁମରେ ବନ୍ଦ କରି ରଖିଥିଲେ । ଏହି ଖବର ପାଇ ଇନଫୋସିଟି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିବା ସହ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁକରି ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ୩ ଅଭିଯୁକ୍ତ ହେଲେ, ଚନ୍ଦକା ଅଞ୍ଚଳର ଚିନ୍ମୟ ଶ୍ରୀ ଚନ୍ଦନ, ସହିଦନଗର ଅଞ୍ଚଳର ବିବେକାନନ୍ଦ ପରିଡ଼ା ଓ ଡୁମୁଡୁମା ସତ୍ୟନଗର ଜ୍ୟୋତିରଞ୍ଜନ ସାହୁ ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ନୟାପଲ୍ଲୀ ଆଇଆରସି ଭିଲେଜ ଅଞ୍ଚଳରେ ରୁହନ୍ତି । ସେ ଗତ ୨୨ ତାରିଖରେ ଫ୍ଲିପକାର୍ଟ ସପିଂ ଆପ ଯୋଗେ ଏକ ମୋବାଇଲ ଫୋନ ଅର୍ଡର କରିଥିଲେ ଏବଂ ଏଥି ନିମନ୍ତେ ସେ ଅଗ୍ରୀମ ୭ ହଜାର ୨୦୦ ଟଙ୍କା ମଧ୍ୟ ପୈଠ କରିଥିଲେ । ଉକ୍ତ ମୋବାଇଲ ପାର୍ସଲଟି ଗତ ୨୫ ତାରିଖ ଅପରାହ୍ନ ସୁଦ୍ଧା ଡେଲିଭରି ହେବା ନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଥିବା ସତ୍ତ୍ୱେ ପାର୍ସଲଟି ନିର୍ଦ୍ଧାରିତ ସମୟ ମଧ୍ୟରେ ଡେଲିଭରି ହୋଇପାରିନଥିଲା । ଏଥି ଯୋଗୁଁ ଅଭିଯୋଗକାରିଣୀ ପଟିଆ ସ୍ଥିତ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଥିବା ଏନଟେଏକ୍ସ ଟ୍ରାନ୍ସପୋର୍ଟେସନ ସର୍ଭିସ ପ୍ରାଇଭେଟ ଲିମିଟେଡ କମ୍ପାନୀର ଅଫିସକୁ ଯାଇ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ନିଜର ପାର୍ସଲଟିକୁ ଦେବା ପାଇଁ ଅନୁରୋଧ କରିଥିଲେ । ହେଲେ ସମୟ ହୋଇଯାଇଥିବା ଦର୍ଶାଇ ସେଠାରେ ଥିବା କର୍ମଚାରୀ ମାନେ ତାଙ୍କ ପାର୍ସଲଟିକୁ ଦେବା ପାଇଁ ମନା କରିଦେବା ସହିତ ସେଠାରେ କିଛି ସମୟ ଅପେକ୍ଷା କରିବା ଲାଗି କହିଥିଲେ । କିଛି ସମୟ ଅପେକ୍ଷା ପରେ ଅଭିଯୋଗକାରିଣୀ ହତାଶ ହୋଇ ସେଠାରେ ରଖାଯାଇଥିବା ନିଜ ପାର୍ସଲଟିକୁ ନେବା ପାଇଁ ପ୍ରୟାସ କରୁଥିବା ବେଳେ, କାର୍ଯ୍ୟରତ କିଛି କର୍ମଚାରୀ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କୁ ଠେଲାପେଲା କରିଥିଲେ ଏବଂ ବଳପୂର୍ବକ ତାଙ୍କ ହାତରୁ ପାର୍ସଲଟିକୁ ଛଡାଇ ନେଇଯାଇଥିବା ବେଳେ, ତାଙ୍କ ଡ୍ରେସକୁ ଟଣାଓଟୋରା ମଧ୍ୟ କରିଥିଲେ । ପରେ ତାଙ୍କୁ ଏକ କୋଠରୀରେ ବନ୍ଦ କରି ରଖିବା ସହିତ ତାଙ୍କର କେହି ବନ୍ଧୁ କିମ୍ବା ସ୍ୱାମୀ ସେଠାକୁ ଆସିଲେ ତାଙ୍କ ସମ୍ମୁଖରେ ତାଙ୍କୁ ଉଲଗ୍ନ କରିବା ପରେ ଯାଇ ପାର୍ସଲ ଦିଆଯିବ ବୋଲି ଦାବି କରିଥିଲେ । ଏହି ଖବର ଇନଫୋସିଟି ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ।