ନାବାଳିକାଙ୍କୁ ଅସଦାଚରଣ; ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୪ା୧ : ଜଣେ ୧୪ ବର୍ଷର ନାବାଳିକା ଝିଅକୁ ଗତ ୩ରୁ ୪ ମାସ ହେବ ପିଛା କରିବା ସହ ଗତକାଲି ତାଙ୍କୁ ସ୍କୁଲରୁ ଫେରିବା ବେଳେ ଜୋରଜବରଜସ୍ତି ରାସ୍ତାରେ ଅସଦାଚରଣ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ଡ଼ୁମୁଡ଼ୁମାର ମିଟୁ ଓରଫ ଶିଶିର କୁମାର ରାଉତ ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ପରିବାର ସହ ଡୁମୁଡୁମା ଅଞ୍ଚଳରେ ରହୁଥିବା ବେଳେ, ଅଭିଯୁକ୍ତ ମିଟୁ ଗତ ୩ରୁ ୪ ମାସ ହେବ ତାଙ୍କ ପଡୋଶୀ ଭାବେ ରହିଆସୁଛି । ଅଭିଯୋଗକାରିଣୀଙ୍କ ଏକ ନାବାଳିକା ଝିଅକୁ ଅଭିଯୁକ୍ତ ମିଟୁ ନିୟମିତ ଭାବେ ପିଛା କରୁଆସୁଥିଲା । ସବୁଦିନ ପରି ଗତକାଲି ଅପରାହ୍ନରେ ନାବାଳିକା ଜଣଙ୍କ ସ୍କୁଲରୁ ଫେରିବା ରାସ୍ତାରେ ଅଭିଯୁକ୍ତ ମିଟୁ ମନ୍ଦ ଉଦେ୍ଦଶ୍ୟ ରଖି ଝିଅର ହାତକୁ ଟାଣି ଅସଦାଚରଣ କରିଥିଲା । ଏହାର ବିରୋଧ କରିବାରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲା । ଏହି ଘଟଣାକୁ ନେଇ ନାବାଳିକା ଜଣଙ୍କ ଘରକୁ ଯାଇ ଘଟଣା ବିଷୟରେ କହିବାରୁ ଏନେଇ ନାବାଳିକାଙ୍କ ମାଆ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।