୩ଟି ମାମଲାର ୫ ଅଭିଯୁକ୍ତ ଗିରଫ; ଖଣ୍ଡା ଜବତ
ଭୁବନେଶ୍ୱର, ୨ା୨୫ : ୩ଟି ଭିନ୍ନ ଭିନ୍ନ ମାମଲାର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୁଲିସ । ସେମାନଙ୍କ ଠାରୁ ଖଣ୍ଡା, ଲୁହାରଡ଼ ଓ ବାଇକ ଜବତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୩ଟି ଭିନ୍ନ ମାମଲା ଗୁଡ଼ିକ ହେଲା, ପ୍ରଥମ ଟି ହେଉଛି ଅଭିଯୋଗକାରୀ ଶୁଭଙ୍କର ସାହୁ ପରିବାର ସହ ସାଲିଆସାହି ଅନ୍ତର୍ଗତ ବସ୍ତିବିକାଶ ଠାରେ ରୁହନ୍ତି । ବର୍ଷର ଆରମ୍ଭ ଦିନ ତଥା ୧ ତାରିଖ ଦିନ ଅଭିଯୋଗକାରୀ ନିଜ ଘରେ ରହିଥିବା ବେଳେ, ଦୁଇ ଅଭିଯୁକ୍ତ ତାଙ୍କ ଘର ନିକଟକୁ ଆସି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଳିଗୁଲଜ କରିବା ସହ ଝଗଡା ଆରମ୍ଭ କରି ଏକ ଖଣ୍ଡାରେ ହାଣିବା ଆରମ୍ଭ କରିଥିଲେ । ଏହି ଆକ୍ରମଣ ଫଳରେ ଅଭିଯୋଗକାରୀଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଏନେଇ ଅଭିଯୋଗକାରୀ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ, ସାଲିଆସାହିର ରମେଶ ଡାକୁଆ ଓ ଆଦିତ୍ୟ ରଞ୍ଜନ ନାୟକ ।
ସେହିପରି ଆଉ ଏକ ମାମଲା ହେଉଛି, ଅଭିଯୋଗକାରୀ ଜଣକ ଜୟଦେବ ବିହାର ଛକ ନିକଟରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ହୋଇଥିବା ବେଳେ, ଗତ ଡ଼ିସେମ୍ବର ୩୧ ତାରିଖ ଦିନ ଅଭିଯୋଗକାରୀ କିଛି ବନ୍ଧୁଙ୍କୁ ଦେଖା କରିବାକୁ କାରରେ ଆସି ଶିକ୍ଷାନୁଷ୍ଠାନ ସମ୍ମୁଖରେ ପାର୍କିଂ କରିଥିଲେ । ସନ୍ଧ୍ୟାରେ ସେ ଉକ୍ତ କାର ନେଇ ସେଠାରୁ ବାହାରିବା ବେଳେ, ଦୁଇ ଅଭିଯୁକ୍ତ ଏବଂ ତାଙ୍କର ସହଯୋଗୀ କାର ଆଗକୁ ଆସି ତଳେ ପଡ଼ିଯାଇଥିଲେ । ଏହି ଘଟଣାକୁ ନେଇ ଅଭିଯୁକ୍ତ ମାାନେ ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ କାରକୁ ଭାଙ୍ଗି ଦେଇଥିଲେ । ଏନେଇ ସେ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଜଣ ଅଭିଯୁକ୍ତ ଶକ୍ତି ଦାସ ଓ ସମ୍ବିତ୍ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେହିପରି ତୃତୀୟ ଘଟଣା ହେଉଛି, ଅଭିଯୋଗକାରୀ ଏକ କବାଡିଆ ଦୋକାନ ଆଗରେ ଛିଡ଼ା ହୋଇଥିବା ବେଳେ, ଅଭିଯୁକ୍ତ ସେଠାରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଚାପଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ବବୁଲ ଦଳୁଆକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।