ନାଭାଲ ସିଂହ ଗିରଫ ଘଟଣା ୧୨ ଜଣଙ୍କୁ ମାରି ନିଜେ ମଲା

ନାଭାଲ ସିଂହ ଗିରଫ ଘଟଣା ୧୨ ଜଣଙ୍କୁ ମାରି ନିଜେ ମଲା

ଅହମ୍ମଦାବାଦ : ବିଭିନ୍ନସ୍ଥାନରେ ଘଟୁଥିବା ହତ୍ୟା ଓ ଅପରାଧିକ ଘଟଣାରେ ଅଭିଯୁକ୍ତଙ୍କ ଦୁର୍ବଳ ଓ ଅସ୍ୱଚ୍ଛ ମାନସିକତା ବେଳେ ବେଳେ ସମାଜର ସୁସ୍ଥ ମାନସିକଲୋକଙ୍କୁ ଚିନ୍ତାରେ ପକାଇଦିଏ । ଅପରାଧିକ କାର୍ଯ୍ୟକଳାପ ଘଟାଇବା ପାଇଁ ଏମାନେ କେତେ ଯେ, ତଳକୁ ଖସିପାରନ୍ତି, ତାହା ଗୁଜରାଟର ଅହମ୍ମଦାବାଦରେ ଗିରଫ ହୋଇ ପୁଲିସ୍ ହେପାଜତରେ ପ୍ରାଣ ହରାଇଥିବା ନାଭାଲ ସିଂର କାରନାମାକୁ ଦେଖିଲେ ବେଶ ଅନୁମେୟ । ଗୁଣି ଗାରେଡ଼ିରେ ଲିପ୍ତ ରହି ନାଭାଲ ସିଂ ଜଣକ ପରେ ଜଣେ ପରିବାର ସଦସ୍ୟଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା । ସୋମବାର ତଦନ୍ତ ବେଳେ ପୁଲିସ୍ ତା’ ଠିକଣାରୁ ଏକାଧିକ ନରକଙ୍କାଳ ଜବତ କରିବା ପରେ ପୂରା ଘଟଣାର ଖୋଳତାଡ଼ କରିଥିଲା । ଆଉ ଧିରେ ଧିରେ ଜଣାପଡ଼ିଥିଲା ଯେ, ନାଭାଲ ସିଂ ନିଜ ପରିବାରର ୩ ଜଣଙ୍କୁ ବିଷ ଦେଇ ହତ୍ୟା କରିବା ସହ ପାଖ ଅଞ୍ଚଳରେ ଘଟିଥିବା ଅନ୍ୟ ହତ୍ୟାକାଣ୍ଡରେ ମଧ୍ୟ ତା’ର ସିଧାସଳଖ ସମ୍ପୃକ୍ତି ଅଛି । ପୁଲିସ୍ ସୂଚନା ଅନୁସାରେ ନାଭାଲ ସିଂହ ୨୦୧୦ରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ନିଜର ଜେଜେ ମା’ ମାଙ୍ଗୁ ବାନିଆଙ୍କୁ ପାଣିରେ ବିଷ ମିଶାଇ ପିଇବାକୁ ଦେଇଥିଲା । ଫଳରେ ତାଙ୍କର ମୃତୁ୍ୟ ହୋଇଥିଲା । ସେହିପରି ସେ ନିଜ ମା’ ସରୋଜଙ୍କୁ ମଧ୍ୟ ୯ ମାସ ତଳେ ସମାନ ଢଙ୍ଗରେ ହତ୍ୟା କରିଥିବା ବେଳେ ଦାଦା ଅସୁସ୍ଥ ହେବାରୁ ତାଙ୍କୁ ମଧ୍ୟ ପାଣିରେ ବିଷ ମିଶାଇ ପିଆଇବାକୁ ଦେଇଥିଲା । ଫଳରେ ତାଙ୍କର ମୃତୁ୍ୟ ହୋଇଥିଲା । ଅସୁସ୍ଥ ଥିବା ବେଳେ ପରିବାର ସଦସ୍ୟଙ୍କ ମୃତୁ୍ୟ ହୋଇଥିବାରୁ କେହି ହେଲେ ନାଭାଲକୁ ସନେ୍ଦହ କରି ନ ଥିଲେ । କିନ୍ତୁ ଅଧିକ ତଦନ୍ତ ପରେ ଜଣାପଡ଼ିଥିଲା ଯେ, ନାଭାଲ ସିଂହ ୨୦୨୧ ଅଗଷ୍ଟ ୨୩ରେ ନିଜର ସାଙ୍ଗ ବିବେକ ଗୋହଲିଙ୍କୁ ହତ୍ୟା କରିଥିବା ବେଳେ ୨୦୨୩ ମାର୍ଚ୍ଚ ୧୧ରେ ସୁରେନ୍ଦ୍ର ନଗରର ୩ ଜଣଙ୍କୁ ହତ୍ୟା କରିଛି । ସେହିପରି ୨୦୨୪ ମେ’ ୨୨ରେ ପାଧାରିରେ ୩ ଜଣଙ୍କୁ, ନିକଟସ୍ଥ ଅଞ୍ଚଳର ନଗମା ମୁକସାମଙ୍କୁ ଓ ଅନଜାର ସ୍ଥିତ ଧର୍ମପୀଠର ଜଣେ ପୂଜକଙ୍କୁ ହତ୍ୟା କରିଥିଲା । ତେବେ ଡିସେମ୍ବର ୧ରେ ପୁଲିସ ମୁମାତପୁରାରେ ରେଡ୍ କରି ନାଭାଲ ସିଂହକୁ ଗିରଫ କରିଥିଲା । ସେଠାରେ ସେ ଅଭିଜିତ ରାଜପୁତ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ପହଞ୍ଚିଥିବା ବେଳେ ଅଭିଜିତ ପୂର୍ବରୁ ଏ ସମ୍ପର୍କରେ ସୂଚନା ପାଇ ପୁଲିସ୍କୁ ଜଣାଇଥିଲେ । ସେପଟେ ପୁଲିସ୍ ହେପାଜତରେ ଥିବା ନାଭାଲ ହଠାତ୍ କେମିତି ପ୍ରାଣ ହରାଇଲା ତାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ପୁଲିସ୍ ଏବେ ତା’ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ରିପୋର୍ଟକୁ ଅପେକ୍ଷା କରିଛି ।