ନିଆଁ ଲଗାଉଥିବା ଯୁବକକୁ କୋର୍ଟ ଚାଲାଣ
ରାଜନଗର : ରାଜନଗର ବ୍ଲକର ବିଭିନ୍ନ ଗ୍ରାମରେ ସପ୍ତାହେ ମଧ୍ୟରେ ପାଳଗଦା, କୁକୁଡାଫାର୍ମ, ଚାଳଛପର ଘରେ ଲଗାତର ଭାବେ ନିଆଁ ଲଗାଉଥିବା ୫ଜଣ ଯୁବକଙ୍କୁ ମାଣପଡା ଗାଁ ଲୋକେ ଧରି ରାଜନଗର ଥାନା ପୁଲିସର ଜିମା ଦେଇଥିଲେ । ପୁଲିସ ସେମାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଥିଲେ । ପୁଲିସ ତଦନ୍ତ କରିବା ପରେ ମାଣପଡା ଗ୍ରାମର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ ସତ୍ୟନାରାୟଣ ବାରିକ (ବିକାଶ)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନୀ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସତ୍ୟନାରାୟଣଙ୍କ ସହ ସଂପୃକ୍ତ ଫେରାର ହୋଇଯାଇଥିବା ୫ରୁ ଉଦ୍ଧ୍ୱର୍ ଯୁବକଙ୍କ ନାମରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ଦିନ ଏହି ଯୁବକ ଦଳ ମହୁଲିଆ ପଞ୍ଚାୟତ ପୋଖରିଆ ଗ୍ରାମର ୫ଟି ପାଳଗଦାରେ ନିଆଁ ଲଗାଇ ଦେଇଥିଲେ । ଶନିବାର ଦିନ ମାଣପଡାର ଏକ ପାଳଗଦାରେ ନିଆଁ ଲଗାଇବା ସହ ସେହି ଗ୍ରାମର ରମେଶ ବିଶ୍ୱାଳଙ୍କ କୁକୁଡାଫାର୍ମରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଚାନ୍ଦିବାଉଁଶମୂଳ ପଞ୍ଚାୟତ ବଡକୋହ୍ଲା(ଚଡଦିଆ) ଗ୍ରାମର ରାଜକିଶୋର ନାୟକଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ସେହି ଯୁବକମାନେ ସୋମବାର ଦିନ ମାଣପଡା ଗ୍ରାମରେ ଏକଜୁଟ ହୋଇ ନିଆଁ ଲଗାଇବାକୁ ଯୋଜନା ଚଳାଉଥିବା ବେଳେ ଗ୍ରାମବାସୀମାନେ ସେମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚô ସେହି ଯୁବକମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା । ମାଣପଡା ଗ୍ରାମର ରମେଶ ବିଶ୍ୱାଳ ଏନେଇ ଥାନାରେ ଅଭିଯୋଗ କରିଥିଲେ ।