କିଶାନକୁ ଟକ୍କର ଦେବାକୁ ମୋର୍ଚ୍ଚା ବାହାର କଲେ ମାନସ  

ଧର୍ମଶାଳା : ଧର୍ମଶାଳା କଂଗ୍ରେସର ସ୍ଥିତି କ’ଣ କାହାକୁ ଅଛପା ନୁହେଁ । ଏକଦା ଅଣ କଂଗ୍ରେସ ଗଡ ଭାବେ ପରିଚିତ ଧର୍ମଶାଳାରେ କଂଗ୍ରେସ ପ୍ରତି ନିର୍ବାଚନରେ ପଛକୁ ଠେଲି ହୋଇଚାଲିଛି । ତୃଣମୂଳ ସ୍ତରରେ ଦୁର୍ବଳ କାରଣରୁ କଂଗ୍ରେସ ଉଧେଇପାରୁନି । କିନ୍ତୁ ନିର୍ବାଚନ ଉପନିତ ହେଲେ ଏକାଧିକ ଆଶାୟୀ ହୋଇପଡନ୍ତି । ନିଜର ସମର୍ଥକଙ୍କୁ ଧରି ବୈଠକ କରିବା ହେଉ କି କର୍ମୀସମାବେଶ ବା ମୋର୍ଚା ଖୋଲିବାର ଦେଖାଯାଇଥାଏ । ନିର୍ବାଚନ ଟିକେଟ ମିଳିଲେ ଲଢନ୍ତି ଏବଂ ପରାଜୟ ପରେ ଉଭାନ ହୋଇଯାଆନ୍ତି । କିନ୍ତୁ ନିର୍ବାଚନ ସମୟ ହୋଇନଥିଲେ ବି ଶୁକ୍ରବାର କଂଗ୍ରେସର ସମ୍ବିଧାନ ବଂଚାଓ ସଭା ପାଇଁ ମୋର୍ଚ୍ଚା ଦେଖିବାକୁ ମିଳିଥିଲା । ମୋର୍ଚ୍ଚା ଗୋଟେ ପଟେ ନିର୍ବାଚନ ଲଢି ପରାଜୟ ସ୍ୱାଦ ଚାଖିଚାଲିଥିବା କିଶାନ ପଣ୍ଡା ଏବଂ ପ୍ରାକ୍ତନ ପିସିସି ସଂପାଦକ ମାନସ ରଂଜନ କରଙ୍କ ଦେଖିବାକୁ ମିଳିଥିଲା । ଉଭୟ ମୋର୍ଚ୍ଚା ବାହାର କରି ଭୁବନେଶ୍ୱରରେ ହେଉଥିବା ସମ୍ବିଧାନ ବଂଚାଓ ସମାବେଶରେ ଯୋଗ ଦେବାକୁ ଯାଇଥିଲେ । କଂଗ୍ରେସ ଧର୍ମଶାଳାରେ ବଳ ଗୋଟାଇବାରେ ଅନ୍ୟଦଳ ଠାରୁ ବହୁପଛରେ ଥିଲେ ହେଁ ନିଜର ପତିଆରା ହେଉ କିମ୍ବା ଟକ୍କର ଦେବା ଲକ୍ଷ୍ୟରେ ମୋର୍ଚ୍ଚା ପ୍ରଦର୍ଶନ ଧର୍ମଶାଳାରେ ଆଲୋଚନାର ବିଷୟ ପାଲଟିଥିଲା । କାହିଁ କେଉଁ କାଳରୁ ଧର୍ମଶାଳା କଂଗ୍ରେସର ଏହିପରି ଗୋଷ୍ଠୀ କନ୍ଦଳ ପାଇଁ ବର୍ତମାନ ଏକ ପ୍ରକାର ଶୂନ ହୋଇଯାଇଛି । କିନ୍ତୁ ଏଠି କଂଗ୍ରେସରେ କାମକରୁଥିବା ନେତା ମାନେ ସୁଧୁରୁ ନାହାନ୍ତି । କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହେଉଥିବା କିଷାନ ପଣ୍ଡା ତାଙ୍କ ସମର୍ଥôତ କର୍ମୀଙ୍କୁ ନେଇ ଜାରକାର ଧର୍ମଶାଳା ମହୋତ୍ସବ ପଡିଆରରୁ ବାହାର କରି ଭୁବନେଶ୍ୱର ଯାଇଥିବା ବେଳେ  ପୂର୍ବତନ ସମ୍ପାଦକ ମାନସ ତାଙ୍କ ସମର୍ଥକଙ୍କ ସହିତ ଜାରକା ଛକ ନିକଟରୁ ବାହାରି ବଜାରରେ ପଦ ଶୋଭାଯାତ୍ରା କରିବା ପରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ବର୍ତମାନ କଂଗ୍ରେସ ଦଳ ଏକ ପ୍ରକାର ଉଜ୍ଜୀବିତ ହେଉଥିବା ସମୟରେ ଧର୍ମଶାଳା କଂଗ୍ରେସ ନେତାଙ୍କ ଗୋଠ ଖଣ୍ଡିଆ ନିତି ସାଧାରଣ ଲୋକଙ୍କୁ ଚର୍ଚ୍ଚା କରିବାକୁ ସୁଯୋଗ ଦେଇଛି ।