ମାନିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ : ‘ସବୁ ନିର୍ବାଚନ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ ହୁଏନି’
ମୁମ୍ବାଇ: ମାନିଲେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର୍ । କହିଲେ ନିର୍ବାଚନ ସମୟରେ ଦିଆଯାଉଥିବା ସବୁ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକାରୀ ହୁଏନାହିଁ । ଶନିବାର ମହାୟୁତି ସରକାରର ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଅଜିତ ପାୱାର୍ ଚାଷୀଙ୍କୁ ଫସଲ ଋଣ ପରିଶୋଧ କରିବା ପ୍ରସଙ୍ଗରେ ବାରାମତି ଠାରେ ଏକ ସଭାକାର୍ଯ୍ୟରେ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଚାଷୀଙ୍କୁ ପୂର୍ବବର୍ଷର ଋଣ ପରିଶୋଧ କରିବାକୁ ପଡ଼ିବ ବୋଲି କହିଥିଲେ । ଏହାସହ କହିଥିଲେ ଯେ, ପ୍ରତିଶ୍ରୁତି ସର୍ବଦା ତୁରନ୍ତ କାର୍ଯ୍ୟରେ ରୂପାନ୍ତରିତ ହୁଏ ନାହିଁ । ତଥାପି ଚାଷୀଙ୍କୁ ଶୂନ ପ୍ରତିଶତ ସୁଧରେ ଋଣ ଉପଲବ୍ଧ କରାଯିବା ସହ ଚାଷୀଙ୍କ ଚାପ କମାଇବା ପାଇଁ ଯଥୋଚିତ ଉଦ୍ୟମ କରାଯାଉଛି ବୋଲି ଆଶ୍ୱାସନା ଦେଇଛନ୍ତି । କୃଷିମନ୍ତ୍ରୀଙ୍କ ଏହି ବୟାନ ପରେ ନିର୍ବାଚନ ଇସ୍ତାହାରରେ ଋଣଛାଡ଼ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ପ୍ରଶ୍ନ ଉଠାଇଛନ୍ତି ମହାରାଷ୍ଟ୍ର ଚାଷୀ ।
ନିର୍ବାଚନ ଇସ୍ତାହାର ପ୍ରସଙ୍ଗରେ କୃଷିମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ସମସ୍ତ ପରିସ୍ଥିତିକୁ ଭିତ୍ତି କରି ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରାଯାଉଛି । ଏଣୁ ଯେଉଁ ଚାଷୀମାନେ ପୂର୍ବରୁ ତଥା ଚଳିତ ଫସଲ ବର୍ଷ ପାଇଁ ଋଣ କରିଥିଲେ ତାହାକୁ ଆସନ୍ତା ୩୧ ସୁଦ୍ଧା ପରିଶୋଧ କରିବାକୁ ପଡ଼ିବ । ରାଜ୍ୟର ଆର୍ଥିକ ପ୍ରତିବଦ୍ଧତାକୁ ଦୋହରାଇ ଚଳିତବର୍ଷ ମହାରାଷ୍ଟ୍ରର ୭.୨୦ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପରେ ଆଲୋକପାତ କରିଥିଲେ । ତେବେ ଇସ୍ତାହାର ଅନୁସାରେ ବିଦୁ୍ୟତ୍ ବିଲ୍ ଛାଡ଼ କରିବାକୁ କୁହାଯାଇଥିବା ବେଳେ ଚଳିତ ଥର ୬୫୦୦୦ କୋଟି ଟଙ୍କାର ବିଜୁଳି ଦେୟ ଛାଡ଼ କରାଯାଇଛି । ସେସବୁ ରାଜ୍ୟ ସରକାରଙ୍କୁ ପରିଶୋଧ କରିବାକୁ ପଡ଼ିବ । ଏହାବାଦ ବିଭିନ୍ନ ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ବିପୁଳ ପରିମାଣର ଅର୍ଥକୁ ଅନୁଶୀଳନ କଲେ ବର୍ତ୍ତମାନ ପରିସ୍ଥିତିରେ କୃଷିଋଣ ଛାଡ଼ କରିବା ସମ୍ଭବପର ନୁହେଁ । ଏଣୁ ଏଥିପାଇଁ ଆସନ୍ତା ଦିନ ଧାର୍ଯ୍ୟ କରାଯାଉଛି ବୋଲି କହିଥିଲେ ।