୪ ଦିନଆ ସାଇବର କର୍ମଶାଳା ଆରମ୍ଭ : ତାଲିମ ନେବେ ସବୁ ପୁଲିସ୍
ଭୁବନେଶ୍ୱର/ କଟକ : ଆଜି ଭୁବନେଶ୍ୱରସ୍ଥିତ ସାଇବର କମ୍ପ୍ଲେକ୍ସ ଠାରେ ରାଜ୍ୟ କ୍ରାଇମବ୍ରାଞ୍ଚ ଆନୁକୂଲ୍ୟରେ "ସାଇବର ଅପରାଧର ତଦନ୍ତ ଏବଂ ସାଇବର ବୁଦ୍ଧିମତ୍ତା’ ସମ୍ପର୍କିତ ଏକ କର୍ମଶାଳା ଉଦ୍ଘାଟିତ ହୋଇଛି । ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ମଶାଳା ଉଦଘାଟନ କରିଥିଲେ । ଆଗାମୀ ଦିନରେ ସାଇବର ଅପରାଧକୁ ରୋକିବାକୁ ରାଜ୍ୟର ସମସ୍ତ ରେଞ୍ଜ ଏବଂ ଜିଲ୍ଲା ସ୍ତରରେ "ସାଇବର ଅପରାଧ ତଦନ୍ତ’ ସମ୍ପର୍କିତ କର୍ମଶାଳାର ଆୟୋଜନ କରାଯିବ ଏବଂ ଏଥିରେ କନଷ୍ଟେବଳ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଅଧିକାରୀମାନେ ଅଂଶଗ୍ରହଣ କରିବେ । ଅଳ୍ପ ସମୟ ମଧ୍ୟରେ ଅଧିକାରୀଙ୍କୁ ସାଇବର ଅପରାଧର ସଠିକ ତଦନ୍ତ ଏବଂ ନିଜର ଦକ୍ଷତା ପ୍ରତିପାଦିନ କରିବାରେ ଏହି କର୍ମଶାଳା ସେମାନଙ୍କୁ ବିଶେଷ ସହାୟକ ହେବ ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି । ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟା ର ପ୍ରୟୋଗ ଦ୍ୱାରା ଅଦୃଶ୍ୟ ଅପରାଧୀଙ୍କୁ ମୁକାବିଲା କରିବାକୁ ହେଲେ ପୁଲିସକୁ ନିଜର ଦକ୍ଷତା ବିକାଶ ଏବଂ ନିରନ୍ତର ତାଲିମ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ କର୍ମଶାଳା ଆୟୋଜନ କରାଯିବା ଉପରେ ଡିଜିପି ଗୁରୁତ୍ୱାରୋପ କରିଛନ୍ତି ।
କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରାଇମବ୍ରାଞ୍ଚ ଆଇଜି ଡ଼. ସାର୍ଥକ ଷଡ଼ଙ୍ଗୀ କର୍ମଶାଳା ଆୟୋଜନ ଓ ପରିଚାଳନା କରିଥିଲେ । ଡିଆଇଜି (ଏସଟିଏଫ) ପିନାକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସାଇବର ବିଶେଷଜ୍ଞ ଡ଼. ରକ୍ଷିତ ଟଣ୍ଡନ ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ ।