ନିଖୋଜ ଯୁବକଙ୍କ ମୃତୁ୍ୟ ଘଟଣା : ଇଟାଭାଟି ମାଲିକ ଓ ରାତ୍ର ଜଗୁଆଳ ଗିରଫ 

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଖରିଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚାଷଜମିରେ ବିଦୁ୍ୟତ୍ ତାର ଲାଗି ସେହି ଗ୍ରାମର ଶ୍ରୀକାନ୍ତ ସେଠି(୩୭)ଙ୍କ ମୃତୁ୍ୟ ଘଟିଥିଲା । ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ମାଟିପୋଡା ଇଟାଭାଟି ମାଲିକ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନାତୋଟା ସାହିର ଦାମ ପାଣିଗ୍ରାହୀ (୪୨) ଓ ଇଟାଭାଟିରେ ରାତ୍ର ଜଗୁଆଳ ଭାବେ କାମ କରୁଥିବା ପୁରୁଷୋତ୍ତମପୁର ଥାନା ନରସିଂହପୁର ଗ୍ରାମର ଡି. ସଞ୍ଜୟ ରେଡ୍ଡୀ (୪୬)  । ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି   । ପ୍ରକାଶ ଯେ, ମଙ୍ଗଳବାର ରାତିରେ ଶ୍ରୀକାନ୍ତଙ୍କ ସହ ସେହି ଗ୍ରାମର ୩ ଜଣ ଶ୍ରମିକ ଓ ଜଣେ ଗାଡି ଚାଳକ ମିଶି ଖରିଡା ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୂଳରେ ମଦ୍ୟପାନ କରିଥିଲେ । ମଦ୍ୟପାନ କରି ଘରକୁ ଫେରିବା ସମୟରେ ଦାମ ପାଣିଗ୍ରାହୀଙ୍କ ପରିବା ଚାଷଜମିରେ ପଶି ପରିବା ଚୋରୀ କରିବା ବେଳେ ବାରାହା ଉପଦ୍ରବରୁ ଫସଲ ସୁରକ୍ଷା ପାଇଁ ଚାଷଜମିରେ ସଂଯୋଗ ହୋଇଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଶ୍ରୀକାନ୍ତଙ୍କ ମୃତୁ୍ୟ ଘଟିଥିଲା । ଘଟଣା ସ୍ଥଳରୁ ୩ ଜଣ ଶ୍ରମିକ ଓ ଗାଡି ଚାଳକ ଜଣଙ୍କ ଘରକୁ ଫେରିଥିଲେ । ବିଦୁ୍ୟତ୍ ଆଘାତରେ ଯୁବକଙ୍କ ମୃତୁ୍ୟ ଘଟିଥିବାରୁ କିଛି ଅଘଟଣ ଆଶଙ୍କା କରିବା ସହ ପୁଲିସ କବଳରୁ ରକ୍ଷା ପାଇବା ଲାଗି ବିଳମ୍ବିତ ରାତିରେ ଚାଷଜମି ମାଲିକ ଦାମ ପାଣିଗ୍ରାହୀ ଓ ତାଙ୍କ ଇଟାଭାଟିରେ କାମ କରୁଥିବା ରାତ୍ର ଜଗୁଆଳ ସଞ୍ଜୟ ମିଶି ଚାଷଜମିରୁ ବିଦୁ୍ୟତ୍ ସରବରାହ ବିଚ୍ଛିନ୍ନ କରି ଯୁବକଙ୍କ ମୃତଦେହକୁ ଗ୍ରାମ ଶ୍ମଶାନ ନିକଟସ୍ଥ କାଜୁବଣ ଏକ ଘଞ୍ଚ ବୁଦା ମୂଳରେ ଫୋପାଡି ଘରକୁ ଫେରିଥିଲେ । ଉକ୍ତ ଘଟଣାର ତଦନ୍ତ କରି ପୁଲିସ ୨ ଜଣକୁ ଗିରଫ କରିଛି  ।