କୁଖ୍ୟାତ ଲୁଟେରା କୃପାସିନ୍ଧୁ ଗିରଫ ; ୨୪ ବାଇକ ଜବତ
ଭୁବନେଶ୍ୱର, ୦୭ା୬ : ଚନ୍ଦନ ଲଗାଇ ଚିତା କାଟୁଥିଲା ପୂଜକ । ପୂଜା ବାହାନାରେ ଲୁଟୁଥିଲା ବାଇକ୍ । ରାଜଧାନୀ ଭୁବନେଶ୍ୱରରୁ ଧରି ପଡିଛି ଏମିତିକା ହାଇ ପ୍ରୋଫାଇଲ୍ ଲୁଟେରା । କମିଶନରେଟ୍ ପୁଲିସ ତା’ଠାରୁ ୨୪ଟି ହିରୋ କମ୍ପାନୀ ବାଇକ୍ ଜବତ କରିଛି । ରୋଡ୍ ସାଇଡ୍ ପୂଜକ ହେଉଛନ୍ତି କୃପାସିନ୍ଧୁ ମହାପାତ୍ର । ସେ ଜଣେ ବୟସ୍କ ବ୍ୟକ୍ତି । ରାତି ପାହିଲେ ସେ ରାଜଧାନୀରେ ଘୂରି ବୁଲନ୍ତି । ରାସ୍ତା ଯାଉଥିବା ଗାଡିକୁ ଅଟକାଇ ପୂଜାର୍ଚ୍ଚନା କରନ୍ତି । ପୂଜାର୍ଚ୍ଚନା ପରେ ଗାଡି ଚାଳକଙ୍କ ମୁଣ୍ଡରେ ଚନ୍ଦନର ଟିକା ଲଗାଇ ଦକ୍ଷିଣା ଆଦାୟ ବାହାନାରେ ଚିତା କାଟୁଥିଲା କୃପାସିନ୍ଧୁ ନନା । ବିଶେଷ କରି ସେ ବିଏମ୍ସି ମଲ୍, ଏମ୍ସ ହସ୍ପିଟାଲ୍, କ୍ୟାପିଟାଲ୍ ହସ୍ପିଟାଲ୍, କଳିଙ୍ଗ ହସ୍ପିଟାଲ୍, ଆପୋଲୋ ହସ୍ପିଟାଲ୍ ପାର୍କିଂ ଅଞ୍ଚଳରେ ପୂଜା ବାହାନାରେ ବୁଲୁଥିଲା । ଆଉ ସମୟ ସୁବିଧା ଦେଖି ଡୁପ୍ଲିକେଟ୍ ଚାବିରେ ବାଇକ୍ ତାଲା ଖୋଲି ନେଇ ଯାଉଥିଲା । ସେ କେବଳ ହିରୋ କମ୍ପାନୀର ବାଇକ୍ ଲୁଟୁଥିଲା । ଚୋରି କରିଥିବା ବାଇକକୁ ବିକ୍ରି କରୁନଥିଲା । ଅପରିଚିତ ଲୋକଙ୍କ ପାଖରେ ବନ୍ଧା ପକାଇ କିଛି ଟଙ୍କା ଆଣୁଥିଲା । ପରବର୍ତ୍ତୀ ସମୟରେ ସେହି ଟଙ୍କା ଫେରାଉନଥିଲା । କୃପାସିନ୍ଧୁ ଏମିତି ଢ଼ଙ୍ଗରେ ବାଇକ ଲୁଟୁଥିଲା । ତାଙ୍କର ରୂପ ଓ ଢ଼ଙ୍ଗ ଦେଖିଲେ ତାଙ୍କୁ କେହି ଚୋର ବୋଲି ବିଶ୍ୱାସ କରିପାରୁନଥିଲେ । ତା’ପରେ ସେ ପୁଣି ଜଣେ ନନା ଅବା ପୂଜକ । ନିଜର ସାଦାସିଧା ବେଶ ଯୋଗୁ ସେ ସବୁ ବେଳେ ଖସି ଯାଉଥିଲା । ହେଲେ ସବୁବେଳେ ନନାଙ୍କ ବେଳା ଭଲ ନଥିଲା । ଗତ କିଛି ଦିନ ତଳେ ସେ କ୍ୟାପିଟାଲ୍ ହସ୍ପିଟାଲ୍ ପାର୍କିଂ ପ୍ଲେସରୁ ଗୋଟିଏ ବାଇକ୍ ଚୋରି କରିଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଥିଲା । ବାଇକ୍ ଚୋରି ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ କ୍ୟାପିଟାଲ ହସ୍ପିଟାଲ ପାର୍କିଂ ପ୍ଲେସ୍ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିଥିଲା । ସେହି ସମୟରେ କୃପାସିନ୍ଧୁଙ୍କ ମୁଖା ଖୋଲିଥିଲା । ତା’ପରେ ପୁଲିସ୍ କୃପାସିନ୍ଧୁଙ୍କୁ ହେପାଜତକୁ ନେଇ ପଚରା ଉଚରା କରିଥିଲା । ଆଉ ତା’ପରେ ଲୁଟର ପୂରା ରାଜ ଖୋଲିଯାଇଥିଲା । ମାଡ ଭୟରେ ଗଳ ଗଳ କରି ସବୁ ଓଗାଳି ପକାଇଥିଲା ନନା । ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ନନାଙ୍କ ଠାରୁ ପୁଲିସ୨୪ଟି ବାଇକ୍ ଜବତ କରିଛି । ସବୁ ବାଇକ୍ ହିରୋ କମ୍ପାନୀର । ଚୋରି ବାଇକ୍ ଗୁଡିକୁ ସେ ବନ୍ଧା ପକାଇ ଟଙ୍କା ଆଣୁଥିଲା । ହେଲେ ପରବର୍ତ୍ତୀ ସମୟରେ ସେହି ଟଙ୍କା ଫେରାଉନଥିଲା କି ବାଇକ୍ ଆଣୁନଥିଲା । ଘଟଣାର ତଦନ୍ତ ଚାଲିଛି । ତାଙ୍କ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି ବୋଲି ପୁଲିସ କମିଶନର କହିଛନ୍ତି ।