ବିଶ୍ୱ ଶୌଚାଳୟ ଦିବସ ପାଳିତ
ଯାଜପୁର ଟାଉନ: ମଙ୍ଗଳବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜିଲାସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି । ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରି ନୂତନ ନିଯୁକ୍ତି ପାଇଥିବା ପିଇଓ ମାନଙ୍କ ଉଦ୍ୟେଶରେ କହିଥିଲେ ତୃଣମୂଳ ସ୍ତରରେ ରାଜ୍ୟ ଓ ଜିଲା ସ୍ତରରେ ହେଉଥିବା ଯୋଜନାକୁ ସଠିକ ଭାବରେ ଉପଯୋଗ କରିପାରିବେ । ପିଇଓ ଦକ୍ଷ ଭାବରେ ପଞ୍ଚାୟତସ୍ତରରେ ଅଭିନବତା ଆଣିପାରିବେ ଏବଂ ସରପଞ୍ଚଙ୍କ ସହ ମିଳିତ ଭାବେ କାମ କଲେ ତାହା ଏକ ଆଦର୍ଶ ପଞ୍ଚାାୟତ ହୋଇପାରିବ । କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ପଞ୍ଚାାୟତ ପରିମଳ ବ୍ୟବସ୍ଥା ଉପରେ ଅଧିକ ଫୋକସ୍ କରୁଛନ୍ତି । ଉନ୍ନତ ସ୍ୱାସ୍ଥ୍ୟ ପାଇଁ ପରିମଳ ବ୍ୟବସ୍ଥା ହେଉଛି ଗୁରୁତ୍ୱପୂର୍ଣ୍ଣ । ବାହାରେ ମଳତ୍ୟାଗ କରିବା ଏକ ଖରାପ ଅଭ୍ୟାସ । ଶୌଚାଳୟ ସବୁ ଜାଗାରେ ରହିଛି କିନ୍ତୁ ଏହାର ଉପଯୋଗ ହେବା ଦରକାର । କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ହେବା ଆବଶ୍ୟକ । ପରିମଳ ସୁସ୍ଥ ରଖିବାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଏବର୍ଷ ଶୌଚାଳୟ ଦିବସର ବିଷୟବସ୍ତୁ ରହିଛି "ଆମ ଶୌଚାଳୟ ଆମ ସମ୍ମାନ’ ଏସଆଇଆରଡିର ପିଇଓ ମାନେ ବିରଜାପୁର ପଞ୍ଚାୟତ ପରିଦର୍ଶନ କରି ସରପଞ୍ଚ, ବୁଦ୍ଧିଜୀବୀ, ପିଆରଆଇ ମେମ୍ବର, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କ ସହିତ ପାରସ୍ପରିକ ଆଲୋଚନା କରିଥିଲେ । ଦିବସ ଅବସରରେ ଜିଲାପାଳ ବିରଜାପୁର ସରପଞ୍ଚ ନିରାକାର ସାହୁ ଏବଂ ଭଲ କାମ କରିଥିବା ସ୍ୱଚ୍ଛସାଥିଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ସଭାପରିଚାଳନା କରିବା ସହ ଶୌଚାଳୟ ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଏସଆଇଆରଡିରୁ ଆସିଥିବା ଅଧିକାରୀ କହିଲେ ନୂତନ ଭାବେ ନିଯୁକ୍ତି ପାଇଥିବା ୨୨୦୦ପିଇଓଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ୨୧ଓ ୨୨ତମ ଗ୍ରୁପ୍ ଯାଜପୁର ଜିଲା ପରିଦର୍ଶନରେ ଆସି ବିରଜାପୁର ପଞ୍ଚାୟତ ବୁଲିବା ସହ ଗୋଷ୍ଠୀ, ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏସଆଇଆରଡି, ଭୁବନେଶ୍ୱରରୁ ନୂତନ ଭାବେ ନିଯୁକ୍ତି ପାଇଥିବା ଗଞ୍ଜାମ ଜିଲାର ୧୦୦ ପିଇଓ ଯାଜପୁର ଜିଲାକୁ କ୍ଷେତ୍ର ପରିଦର୍ଶନରେ ଆସି ଦଶରଥପୁର ବ୍ଲକର ବିରଜାପୁର ପଞ୍ଚାୟତ ବୁଲି ଦେଖିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଖୋଲିଥିବା ଷ୍ଟଲ୍କୁ ଜିଲାପାଳ ଉଦଘାଟନ କରିଥିଲେ । ଦିବସରେ ଦଶରଥପୁର ଓ ଯାଜପୁର ବିଡିଓ ଉପସ୍ଥିତ ଥିଲେ ।