ତମାଣ୍ଡୋ କପ୍ କ୍ରିକେଟ୍: ଟିସିସି ବିଜୟୀ
ଭୁବନେଶ୍ୱର: ତମାଣ୍ଡୋ ଖେଳ ପଡିଆରେ ଚାଲିଥିବା ସପ୍ତମ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଟିସିସି ଭୁବନେଶ୍ୱର ବିଜୟୀ ହୋଇଛି । ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍ରେ ଟିସିସି ଭୁବନେଶ୍ୱର ୭ ୱିକେଟରେ ଏମ୍ଏମ୍ସିସି ସମ୍ବଲପୁରକୁ ପରାସ୍ତ କରିଛି । ଟିସିସି ଭୁବନେଶ୍ୱର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେଣୁ ଏମ୍ଏମ୍ସିସି ସମ୍ବଲପୁର ପ୍ରଥମେ ବ୍ୟାଟିଂ କରି ୧୬.୫ ଓଭର ଖେଳି ସମସ୍ତ ୱିକେଟ ହରାଇ ମାତ୍ର ୯୭ ରନ୍ କରିଥିଲେ । ଦଳ ପକ୍ଷରୁ ରବିନ୍ଦ୍ର ରାଉତ ୨୫ଟି ବଲ ଖେଳି ୩୦ ରନ ଓ ତାସରିଫ୍ ଖାନ୍ ୨୧ ବଲରେ ୨୪ ରନ କରିଥିଲେ । ଟିସିସି ଦଳ ପକ୍ଷରୁ ଶୁଶିଲ କୁମାର ବାରିକ ୪ ଓଭର ସୁନ୍ଦର ବୋଲି କରି ୧୮ ରନ ଦେଇ ୪ଟି ୱିକେଟ ଦଖଲ କରିଥିଲେ । ସେହିଭଳି ଦଳର ଅନ୍ୟତମ ବୋଲର ସୌଭାଗ୍ୟ ରାଉତ ୩ ଓଭର ବୋଲିଂ କରି ୧୧ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ । ସେହିଭଳି ୯୮ ରନର ବିଜୟ ଲକ୍ଷ୍ୟ ନେଇ ଟିସିସି ଭୁବନେଶ୍ୱର ୮.୪ ଓଭରରେ ୩ଟି ୱିକେଟ ହରାଇ ୧୦୦ ରନ କରି ଏମ୍ଏମ୍ସିସି ସମ୍ବଲପୁରକୁ ୭ ୱିକେଟରେ ପରାସ୍ତ କରିଥିଲେ । ଦଳ ପକ୍ଷରୁ ସିଦ୍ଧାନ୍ତ କୁମାର ଜେନା ବ୍ୟାଟିଂ କରି ୨୧ ବଲରେ ୩୬ ରନ ଓ ଶୁଭମ୍ ଶତ୍ରୁଜିତ ୧୭ ବଲରେ ୩୮ ରନ କରିଥିଲେ ମଧ୍ୟ ଦଳକୁ ସହଜ ବିଜୟ ଦେଇଥିଲେ । ଏମ୍ଏମ୍ସିସି ଦଳ ପକ୍ଷରୁ ତାରେଣୀ ସା ୩ ଓଭର ବୋଲି କରି ୨୫ ରନ ଦେଇ ୨ଟି ୱିକେଟ ନେଇଥିଲେ । ଆଜିର ଏହି ଟି-୨୦ କ୍ରିକେଟ ମ୍ୟାଚରେ ଟିସିସି ଭୁବନେଶ୍ୱର ଦଳର ବରିଷ୍ଠ ସଦସ୍ୟ ବିଜୟ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳର ଶୁଶିଲ କୁମାର ବାରିକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ଆସନ୍ତାକାଲି ସାଇ-୧୧ ଓ ଆଇକନିକ୍-୧୧ ପରସ୍ପରକୁ ଭେଟିବେ ।