ଅବ୍ୟବସ୍ଥା ଘେରରେ ସିଡିପିଓଙ୍କ କାର୍ଯ୍ୟାଳୟ
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ବେତନଟୀ ବ୍ଲକ ପରିସରରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ)ଙ୍କ କାର୍ଯ୍ୟାଳୟ ଅବ୍ୟବସ୍ଥାଘେରରେ ରହିଥିବା ଦେଖିବାକୁ ମିଳିଛି । ବ୍ଲକ ଅଧୀନରେ ବିଭିନ୍ନ କାର୍ଯ୍ୟାଳୟମାନଙ୍କର ଅବସ୍ଥା ଚକ୍ାଚକ୍ ହୋଇଥିବାବେଳେ ସିଡିପିଓଙ୍କ କାର୍ଯ୍ୟାଳୟର ଚିତ୍ର ସମ୍ପୂର୍ଣ୍ଣ ଓଲଟା । କେଉଁଠି ରଙ୍ଗ ନାହିଁ ତ, କେଉଁଠି ଘରର କାନ୍ଥ ଫାଟି ଯାଇଛି । ସିଡିପିଓଙ୍କ ନିଜସ୍ୱ କାର୍ଯ୍ୟାଳୟ, ବିଭାଗୀୟ କିରାଣୀ ଏବଂ ସୁପରଭାଇଜରଙ୍କ କାର୍ଯ୍ୟାଳୟର କାନ୍ଥରୁ ପାଣି ପଡୁଥିବାର ଦେଖିବାକୁ ମିଳୁଛି । ଦଶଜଣ ସୁପରଭାଇଜରଙ୍କ ପ୍ରତି ବଦଳରେ ତିନି ଜଣ ସମସ୍ତ ଦଶଟି ସେକ୍ଟରର କାର୍ଯ୍ୟ ସମ୍ଭାଳୁଥିବା ଦେଖିବାକୁ ମିଳିଛି । ଯେଉଁଠି ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷା ଏବଂ ପୃଷ୍ଟିକର ଖାଦ୍ୟ ଯୋଗାଣର ବ୍ୟବସ୍ଥା ପ୍ରସ୍ତୁତି ହୁଏ, ସେଠାରେ ଯଦି ଏଭଳି ଚିତ୍ରଣ ଦେଖାଯାଏ ତେବେ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡିର ଅବସ୍ଥା କେମିତି ଥିବ ତାହା ଆକଳନ କରି ହେଉଥିବ ।
ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମାଞ୍ଚଳ ତଥା ୨୬ଟି ବ୍ଲକରେ ମୋଟ ୫୧୫୩ଟି ଅଙ୍ଗନବାଡି କେନ୍ଦ୍ର ରହିଥିବାବେଳେ ବେତନଟୀ ବ୍ଲକ ଅଧୀନରେ ସମୁଦାୟ ୨୮୨ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଛି । ସେଥିମଧ୍ୟରୁ ମେନ୍ ଅଙ୍ଗନବାଡି ୨୧୩ଟି ଓ ମିନି ଅଙ୍ଗନବାଡି ୬୯ଟି ଥିବା ଜଣାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି କି ଅନେକ କେନ୍ଦ୍ରର ନିଜସ୍ୱ ଗୃହନାହିଁ ଏବଂ ଅନ୍ୟ କିଛି କେନ୍ଦ୍ରରେ ବିଭିନ୍ନ କାରଣ ପାଇଁ ଅଙ୍ଗନବାଡି ଦିଦି ନ ଥିବା ଅଭିଯୋଗ ହୋଇ ଆସୁଛି । ୨୮୨ ଅଙ୍ଗନବାଡି କେନ୍ଦ୍ରମଧ୍ୟରୁ ୨୨୨ ଟି ନିଜସ୍ୱ ଗୃହ ଥିବାବେଳେ ୩୮ଟି କେନ୍ଦ୍ର ଭଡା ଘରେ, ୧୭ଟି କମୁ୍ୟନିଟି ସେଣ୍ଟରରେ ଏବଂ ୫ଟି କେନ୍ଦ୍ରରେ ବିଦ୍ୟାଳୟ ଗୃହ ଏବଂ ପିଣ୍ଡାରେ ଶିକ୍ଷାଦାନ ଚାଲୁଛି । ସେହିଭଳି ସ୍ଥାନୀୟ ସମସ୍ୟା ଯୋଗୁଁ କିଛି ଅଙ୍ଗନବାଡି କେନ୍ଦ୍ରର ଘରର କାମ ବର୍ଷବର୍ଷ ଧରି ଅଧପନ୍ତରିଆ ଭାବେ ପଡ଼ିରହିଥିବାର ଦେଖିବାକୁ ମଧ୍ୟ ମିଳିଛି । କିଛି ଅଙ୍ଗନବାଡ଼ି ଗୃହ ଯଥା ମହୁରୀ, କୁରାଢିକ, ମମତାପାଳ ଅଙ୍ଗନବାଡି କେନ୍ଦ୍ରର ଗୃହକୁ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବ୍ୟବହାର ଅନୁପଯୋଗୀ ଘୋଷଣା ହୋଇସାରିଥିବାବେଳେ ପୁରିନ୍ଦା, ଆମ୍ବଗଡ଼ିଆ, ବାମଡା, ଇନ୍ଦାନଗର-୧ କେନ୍ଦ୍ରର ଘର ମଧ୍ୟ ବିପଦସଂକୁଳ ଅବସ୍ଥାରେ ପଡିରହିଛି । ବେତନଟୀ ବ୍ଲକ ସିଡିପିଓଙ୍କ ଅଧୀନରେ ଥିବା ୧୦ଟି ସେକ୍ଟର ଗଡଦେଉଳିଆ, ବୈଶିଙ୍ଗା, ପୁରିନ୍ଦା ଖୁଣ୍ଟାପୁର, ଦହିକୋଟି, ବେତନଟୀ, ଅଁଳା, ପାଟଳିପୁରା, ଆଗ୍ରିଆ, ସନ୍ତରାକୁ ପରିଚାଳନା ପାଇଁ ୧୦ଜଣ ସୁପରଭାଇଜର ଆବଶ୍ୟକ ଥିବାବେଳେ ବର୍ତ୍ତମାନ ମାତ୍ର ୩ଜଣ ସୁପରଭାଇଜର ଏହି ସମସ୍ତ ସେକ୍ଟରର କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ବ୍ଲକ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଉପରିସ୍ଥ ତିନୋଟି ଅଙ୍ଗନବାଡି କେନ୍ଦ୍ର ଗୁଡିକର ବ୍ୟବହାର ଅନୁପଯୋଗୀ ଘୋଷଣା କରିବା ପରେ ମଧ୍ୟ ଏହାର ପ୍ରତିବଦଳରେ ନୂତନ ଅଙ୍ଗନବାଡି ଗୃହ ପ୍ରଦାନ କରାନଯିବା ପଛରେ କାରଣ କ’ଣ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ଅଙ୍ଗନବାଡି କର୍ମୀ, ପୂର୍ବ ଏବଂ ବର୍ତ୍ତମାନର ସୁପରଭାଇଜର ଏବଂ ସିଡିପିଓ ଦ୍ୱାରା ବାରମ୍ବାର ଲିଖିତ ଅଭିଯୋଗ କରୁଥିଲେ ବି ବେତନଟୀ ବ୍ଲକ ଅଧୀନରେ ବିଗତ ଦୁଇ ବର୍ଷ ହେବ ବାରମ୍ବାର ବିଡିଓଙ୍କ ବଦଳ ଅଦଳ ଲାଗି ରହିଥିବା ଯୋଗୁଁ ନୂତନ ବିଡିଓ ଯିଏ ଆସିଲେ ସେ ଏହାର କୌଣସି ପଦକ୍ଷେପ ଗ୍ରହଣ କରିନାହିଁନ୍ତି । ପିଲା ମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ, ବିଭାଗୀୟ ଅଧିକାରୀ ଏବଂ ବିଭାଗ ମନ୍ତ୍ରୀ ମଧ୍ୟ ଏହା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।