ଆଜି ଟାଇଟଲ ମୁକାବିଲା : ଯିଏ ଜିତିବ, ଇତିହାସ ରଚିବ

ନୂଆଦିଲ୍ଲୀ : ଆସନ୍ତାକାଲି ଆଇପିଏଲ୍ ୨୦୨୫ ଫାଇନାଲ୍ ମୁକାବିଲା । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ  ଦୁଇ ଦମଦାର ଦଳ ତଥା ଜମାରୁ ଆଇପିଏଲ୍ ଟାଇଟଲ ଜିତି ନ ଥିବା ପଞ୍ଜାବ ଏବଂ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲ୍ରେ ଆଜି ପର୍ଯ୍ୟନ୍ତ ଏଇ ଦୁଇ ଦଳ ମଧ୍ୟରୁ କେହି ହେଲେ ଟାଇଟଲ ଜିତି ନାହାନ୍ତି । ପ୍ରାୟ ୩ଥର ଫାଇନାଲ୍କୁ ଆସି ରନର୍ସଅପ୍ ହୋଇଥିବା ସବୁଠୁ ପ୍ରତାରିତ ବେଙ୍ଗାଲୁରୁ ଦଳ ଦୀର୍ଘ ୯ ବର୍ଷ ପରେ ଏଥରକୁ ମିଶାଇ ଚତୁର୍ଥ ଥର ପାଇଁ ଫାଇନାଲ୍କୁ ଆସିଛି । ଠିକ୍ ସେହିପରି ପଞ୍ଜାବ ଦଳ ପୂର୍ବରୁ ୨୦୧୪ରେ ମାତ୍ର ଥରୁଟିଏ ପାଇଁ ଫାଇନାଲ୍କୁ ଆସିଥିବା ବେଳେ ସେତେବେଳେ ରନର୍ସ ଅପ୍ରେ ଶାନ୍ତ ପଡ଼ିଥିଲା । ଏଥରକୁ ମିଶାଇ ପଞ୍ଜାବ ଏବେ ଦ୍ୱିତୀୟ ଥର ପାଇଁ ଫାଇନାଲ୍ ଆସିଛି । ତେବେ ମୂଳରୁ ଟାଇଟଲ ଜିତି ନ ଥିବା ଏହି ଦୁଇ ଦଳ ମଧ୍ୟରୁ ଆସନ୍ତାକାଲି ଯିଏବି ଟାଇଟଲ ଜିତିବ, ସେଇ ଦଳ ଚଳିତ ଆଇପିଏଲ୍ରେ ଇତିହାସ ରଚିବ ବୋଲି କୁହାଯାଉଛି ।
ତେବେ ଯଦି ଏଇ ଦୁଇ ଦଳର କ୍ଷମତା ଏବଂ ଚଳିତ ଆଇପିଏଲ୍ରେ ଏହି ଦୁଇଦଳର ପ୍ରଦର୍ଶନକୁ ଅନୁଧ୍ୟାନ କରିବା ଉଭୟଙ୍କର ପ୍ରଦର୍ଶନ ବେଶ୍ ଉଲ୍ଲେଖନୀୟ । ପଞ୍ଜାବର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ (୪୧ ବଲ୍ରୁ ୮୭ ରନ୍)ଦଳ ମଧ୍ୟରେ ନୂଆ ଆଶା ଭରି ଦେଇଥିଲା । ମାତ୍ର ଗୋଟିଏ ଓଭର ପୂର୍ବରୁ ଆୟର୍ଙ୍କ ପ୍ରଦର୍ଶନ ବେଶ୍ ଉକ୍ରର୍ଷ ଥିଲା । ବୁମ୍ରାଙ୍କ ଗୋଟିଏ ଓଭରରୁ ଜୋସ୍ ଇଙ୍ଗଲିସ୍ ୨୦ ରନ୍ ଏବଂ ଟପ୍ଲେଙ୍କ ଗୋଟିଏ ଓଭରରୁ ଆୟର ୧୯ ରନ୍ ଆଦାୟ କରିବା ଶେଷରେ ନିର୍ଦ୍ଧାୟକ ହୋଇଥିଲା । ଯାହା ଚଳିତ ମ୍ୟାଚ୍ରେ ତାଙ୍କ ଉତ୍ତମ ପ୍ରଦର୍ଶନକୁ ପ୍ରମାଣ କରିଛି । ସେପଟେ ଆର୍ସିବି କଥା ଦେଖିବାକୁ ଗଲେ ଏହାର ଅଧିନାୟକ ଦଳକୁ ନୂଆ ପରିଚୟ ଦେବା ପାଇଁ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି । ପ୍ରତିଟି ମ୍ୟାଚ୍ରେ ତାଙ୍କ ଅଧିନାୟକତ୍ୱ ଶ୍ରେଷ୍ଠ ପ୍ରଦର୍ଶିତ ହୋଇଥିବା ବେଳେ ତାଙ୍କ ଉଦ୍ୟମରେ ଦଳ ମଧ୍ୟ ପ୍ରଦର୍ଶନ କରି ଆସୁଛି । ବିଶେଷ କରି ଗତ ମ୍ୟାଚ୍ରେ (କ୍ୱାଲିଫାୟର୍-୧) ଫିଲ୍ ସଲ୍ଟଙ୍କ ବିସ୍ଫୋରକ ବ୍ୟାଟିଂ (୨୭ ବଲ୍ରୁ ୫୬ ରନ୍, ୬ଟି ଚଉକା, ୩ଟି ଛକା) ଦଳକୁ ଫାଇନାଲ୍ ପାଇଁ ନୂଆ ଆଶା ଦେଖାଇଛି । ଏବେ ଆର୍ସିବି ସଲ୍ଟ ଏବଂ କୋହଲିଙ୍କ ଉପରେ ବିଶେଷ ଭାବେ ନିର୍ଭରଶୀଳ ହୋଇଛି । ସେ ଯାହାବି ହେଉ ଚଳିତ ଟାଇଟଲ କିଏ ନେବ ତାହା ଆସନ୍ତାକାଲିର ପ୍ରଦର୍ଶନରୁ  ସ୍ପଷ୍ଟ ହେବ ।