ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ପୁରୀ ଛାଡିଲେ ପର୍ଯ୍ୟଟକ

ପୁରୀ - ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ''ଦାନା'' ଭୀଷଣ ରୂପ ନେଇ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଉପକୂଳ ଛୁଇଁପାରେ । ଏହି ସୂଚନା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୧୭୯ଟି ବାତ୍ୟା ଆଶ୍ରୟ ସ୍ଥଳିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଏଥି ସହ ୩୭୨ଟି ଅସ୍ଥାୟୀ ଆଶ୍ରୟସ୍ଥଳିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ଶୁଖିଲା ଖାଦ୍ୟ, ଔଷଧ ମହଜୁଦ ରଖାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜିବୀମାନେ କିପରି ତୁରନ୍ତ ଫେରିଆସିବେ ସେନେଇ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ପୁରୀ ବିଚ୍ ରେ ସତର୍କ ସୂଚନା ସ୍ୱରୂପ ନାଲି ପତକା ଲଗାଯାଇଛି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଥିବା ବେଳେ ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା ପୁରୀ ଛାଡିବାକୁ ପର୍ଯ୍ୟଟକ ମାନଙ୍କୁ ପରାମର୍ଶ ଦେଇଥିଲା ପ୍ରଶାସନ । ଏହି ସୂଚନା ପରେ ପୁରୀ ଛାଡୁଛନ୍ତି ପର୍ଯ୍ୟଟକ । ବସ୍ ଓ ଛୋଟ ଯାତ୍ରୀବାହୀ ଗାଡିରେ ଯିବା ପାଇଁ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି ।