ନୃଶଂସ ବାପ-ପୁଅ: ଧାନ ଗଛ ଖାଇ ଦେବାରୁ ଷଣ୍ଢ ପେଟରେ ପୁରେଇ ଦେଲେ ତେଣ୍ଟା
ବୈତରଣୀ ରୋଡ଼ : ହିନ୍ଦୁଧର୍ମରେ ଷଣ୍ଢକୁ ପୂଜା କରାଯାଏ । ଶିବଙ୍କ ବାହାନ ଷଣ୍ଢକୁ ମୁଣ୍ଡିଆ ମରାଯାଏ । କିନ୍ତୁ ମୁଣ୍ଡିଆ ମାରୁଥିବା ମଣିଷ କେତେ ଯେ ଅମଣିଷ ହୋଇଯାଏ, ତାହା କୋରେଇ ବ୍ଲକ ବନ୍ଦାଳ ପଞ୍ଚାୟତରେ ଦେଖିବାକୁ ମିଳିଛି । ବିଲରେ ପସି ଷଣ୍ଢ ଧାନଗଛ ଖାଇ ଦେବାରୁ ବାପପୁଅ ମିଶି ପେଟରେ ତେଂଟା ପୁରେଇ ଦେଇଥିଲେ । ଏଭଳି ନୃଶଂସତା ଘଟଣା ଗଲା ୩ତାରିଖରେ ଘଟିଥିବା ବେଳେ ଏନେଇ ଆଜି କୋରେଇ ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଗୁରୁତର ଷଣ୍ଢକୁ ଉଦ୍ଧାର କରାଯାଇ ଚିିକିସôିତ କରାଯାଇଛି । ଖବର ମତେ ଗଲା ୩ ତାରିଖ ବନ୍ଦାଳ ପଞ୍ଚାୟତ ସୁନ୍ଦରପୁର ଗ୍ରାମର ବାଇଧର ଜେନା ଏବଂ ତାଙ୍କ ବାପା ସନାତନ ବିଲକୁ ଯାଇଥିବା ବେଳେ ଷଣ୍ଢ ଧାନ ଖାଉଥିବା ଦେଖିବାକୁ ପାଇଥିଲେ । ଉଭୟ ବାପ-ପୁଅ ଷଣ୍ଢକୁ ଘଉଡାଇବାକୁ ଯାଇ ତେଂଟା ପେଟରେ ଭୂସି ପୁରେଇ ଦେଇଥିଲେ । ଏଭଳି ଅମାନୁଷିକ ଘଟଣା ସଂପର୍କରେ କିନ୍ତୁ କେହି କିଛି ଟେର ପାଇନଥିଲେ । ଷଣ୍ଢଟି ଯନ୍ତ୍ରଣାରେ ଏଣେ ତେଣେ ବୁଲୁଥିବାର ଗାଁ ଲୋକମାନେ ଦେଖିବାକୁ ପାଇଥିଲେ । ପରେ ସରପଂଚ ବିଷ୍ଣୁ ଚରଣ ରଥଙ୍କ ତତ୍ୱାବଧାନରେ ଗାଁ ଲୋକଙ୍କ ଜରିଆରେ ଷଣ୍ଡଟିକୁ ଅଟକ ରଖି ଗୋ ଚିକିତ୍ସଙ୍କ ମାଧ୍ୟମରେ ଏକ ଦଳ ଅସ୍ତ୍ରୋପଚାର ନିମନ୍ତେ ଡକାଯାଇଥିଲା । ଏଭଳି ଅମାନୁଷିକ କାର୍ଯ୍ୟ ପ୍ରଚାରିତ ଖବରପାଇ କୋରେଇ ରାଷ୍ଟ୍ର ବଜରଙ୍ଗ କାର୍ଯ୍ୟକର୍ତା ଓ ପାଣିକୋଇଲି ଅଂଚଳର ଗୋ-ସେବକ ପହଁଚି ରହି ଗାଁ ଲୋକଙ୍କ ସହଯୋଗ କ୍ରମେ ଗୋ ଚିକିତ୍ସକ ଦ୍ୱାରା ଅସ୍ତ୍ରୋପଚାର କରାଇ ଧାରୁଆ ତୋଂଟା ବାହାର କରାଯାଇଥିଲା । ଏହି ଘଟଣାକୁ ନେଇ ସମସ୍ତ ବର୍ଗରୁ କଢ଼ା ଭାଷାରେ ନିନ୍ଦା କରାଯିବା ସହ ଦୋଷୀ ବିରୁଦ୍ଧରେ ପଶୁ ସଂପଦ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡ ବିଧାନ ମୂଳକ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଷଣ୍ଢର ଚିକିତ୍ସା ନିମନ୍ତେ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଥିବା ବେଳେ କେବଳ ଦେଖିବାର ଅଛି ଅଭିଯୁକ୍ତଙ୍କ ବିରୁଦ୍ଧରେ କେତେଶିଘ୍ର କାର୍ଯ୍ୟାନୁଷ୍ଠନ ନିଆଯାଉଛି । ଥାନା ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ କି ତେଣ୍ଟାଟି ଜବତ ହୋଇଛି । ଆଇନ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।