ବର୍ଷା ଉଜାଡି ଦେଲା ଚାଷୀ ସଂସାର : ହଜାର ହଜାର ଟଙ୍କାର ପରିବା ଚାରା ନଷ୍ଟ

 କୁଆଖିଆ : ଲଘୁଚାପଜନିତ ବର୍ଷା ଚାଷୀ କୂଳ ପ୍ରତି ଦାଉ ସାଧିଛି । ପ୍ରତ୍ୟେକ କାଠ ଫସଲ ନିମିତ ଅଗଷ୍ଟ ମାସ ଅନୁକୂଳ ହେଇଥିବା ବେଳେ ଚାଷୀମାନେ ଜମିକୁ ଚାଷ କରି ବିଭିନ୍ନ ଫସଲ ଉତ୍ପାଦନ ନିମନ୍ତେ ଲାଗି ପଡିଥାନ୍ତି । ଏଇ ଆଧାରରେ ଚାଷୀ ନିଜ ଜମିକୁ ଚାଷ କରିବା ସହିତ ଫୁଲକୋବି, ବନ୍ଧାକୋବି, କଲରା, କାକୁଡ଼ି, ବାଇଗଣ ଚାରା ପ୍ରସ୍ତୁତରେ ଲାଗି ପଡିଥାନ୍ତି । ଏଥିପାଇଁ ଚଳିତ ବର୍ଷ ମଧ୍ୟ ଚାଷୀମାନେ ନିଜ ଜମିକୁ ଚାଷ କରି ସେଥିରେ ଫସଲ ଉତାରିବା ପାଇଁ ପିଣ୍ଡି ମାଧ୍ୟମରେ ବିଭିନ୍ନ ଚାରା ପ୍ରସ୍ତୁତ କରିଥିଲେ । କେତେକ ଚାଷୀ ଆଗୁଆ ଚାରା ବାହାର କରି ଜମିରେ ମଧ୍ୟ ଲଗାଇଥିଲେ । କିନ୍ତୁ, ଗତ ୩ତାରିଖରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବାଦଲ ଫଟା ବର୍ଷା ଚାଷୀ କୂଳର ସର୍ବନାଶ କରି ଦେଇଥିବା ଦେଖିବାକୁ ମିଳିଛି । ରସୁଲପୁର ବ୍ଲକ୍ ଏକ ପନିପରିବା ଅଂଚଳ ଭାବରେ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ବର୍ତମାନ ଉକ୍ତ ଅପ୍ସଚଳ ଜଳମଗ୍ନ ହୋଇଛି । ବିଶେଷ କରି ବ୍ଲକ୍ ଅପ୍ସଚଳର ଯାବରା, ଟିକରପଡା, ଓଡିଶୋ ଅଣ୍ଡେଇଗୋଡା, ଅର୍ତିଆ କୁସୁନପୁର, ନଠୁଆବର, ବଡ଼କଇଁଚି, ଗନ୍ଧଣ, ବାହାବଳପୁର, ରସୁଲପୁର, ଭୋଟକା, ଇଛାପୁର, ବାହାଦଲାପୁର, ମୁଗୁପାଳ, ନରସିଂହପୁର, ରାହାମ୍ବା, ରାଜେନ୍ଦ୍ରପୁର, ଗୋପାଳପୁର, ବାରବାଟୀ, ଫୁଲାଡି, ବେତଣ୍ଡା ପ୍ରଭୃତି ଅଂଚଳର ଚାଷଜମି ଗୁଡିକ ଜଳମଗ୍ନ ଫଳରେ ଶହ ଶହ ହେକ୍ଟରରେ ଲଗା ଯାଇଥିବା ଫସଲ ପାଣି ଭିତରେ ବୁଡି ରହିଛି । ପାଣି ନିଷ୍କାସନ ନହେବା ଯୋଗୁଁ ଫସଲ ସବୁ ପଚି ଯିବାର ସମ୍ଭାବନା ଦେଖା ଦେଇଛି । ଏସମ୍ପର୍କରେ ସ୍ଥାନୀୟ ଚାଷୀ ଶରତଚନ୍ଦ୍ର ସ୍ୱାଇଁ, ନୀରଂଜନ ସାହୁ, ରମେଶ ସାହୁ, ନାରାୟଣ ପତି, ନାରାୟଣ ସ୍ୱାଇଁ, ମନୋଜ ସାହୁ, ଗଙ୍ଗାଧର ସାହୁ, ବାବୁଲି ସାହୁ, ଅଭିମନୁ୍ୟ ମଲିକ, ନରୋତମ ସାହୁ ପ୍ରଭୃତି ଚାଷୀ ମାନଙ୍କ ମତରେ ଜମି ପ୍ରସ୍ତୁତ କରିବା ସହିତ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଯେଉଁ କୋବି, କଲରା, କାକୁଡ଼ି ଚାରା ତିଆରି କରିଥିଲେ ଉକ୍ତ ଚାରା ପିଣ୍ଡି ଭିତରେ ପାଣି ଜମି ରହିଛି । ଯାହାଫଳରେ ଆଉ ମାତ୍ର ୨ଦିନ ପରେ ଚାରା ଗୁଡିକ ମୁଳ ପଚି ନଷ୍ଟ ହେଇଯିବ । ପୁନର୍ବାର ଚାରା ଉତାରି ଲଗାଇବା ଆରମ୍ଭ ବେଳକୁ ଜମି ପାଗ ହେବ ନାହିଁ । ତେଣୁ ଏଇପରି ବର୍ଷା ଯଦି ଲାଗି ରହେ ଚାଷୀମାନଙ୍କୁ କୈାଣସି ଫସଲ ବାହାର କରିବା କଷ୍ଟକର ହେବ ବୋଲି ମତପ୍ରକାଶ କରନ୍ତି । ତେବେ ଚାଷରୁ ଫସଲ ଉତ୍ପାଦନକୁ ନେଇ ଚାଷୀମାନେ ସ୍ୱପ୍ନ ଦେଖୁଥିଲା ବେଳେ ବର୍ଷା ସେମାନଙ୍କ ଭାତ ହାଣ୍ଡି ଓ ଭବିଷ୍ୟତକୁ ଉଜାଡି ଦେଇଛି ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ତେଣୁ ସରକାର ଚାଷୀ ମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ଦାବି କରିଛନ୍ତି ।