ଆଇନଗତ ଢାଞ୍ଚା ମଜଭୁତ କରିବାକୁ ପ୍ରୟାସ
ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ନିର୍ବାଚନ ଆୟୁକ୍ତ ଡକ୍ଟର ସୁଖବୀର ସିଂ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀଙ୍କ ଉପସ୍ଥିତିରେ ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ପରାମର୍ଶଦାତାଙ୍କ ଜାତୀୟ ସମ୍ମିଳନୀର ଉଦ୍ଘାଟନ କରିଥିଲେ । ସମ୍ମିଳନୀରେ ସୁପ୍ରିମକୋର୍ଟ ଏବଂ ଦେଶର ୨୮ଟି ହାଇକୋର୍ଟରୁ ବରିଷ୍ଠ ଆଇନଜୀବୀମାନେ ଏବଂ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୩୬ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।
ଆଗାମୀ ଚ୍ୟାଲେଞ୍ଜଗୁଡ଼ିକୁ ଅଧିକ ଫଳପ୍ରଦ ଭାବେ ମୁକାବିଲା କରିବା ପାଇଁ ଆୟୋଗର ଆଇନଗତ ଢାଞ୍ଚାକୁ ମଜଭୁତ କରିବା ଏବଂ ପୁନଃନିଦେ୍ର୍ଦଶନ କରିବା ମାଧ୍ୟମରେ ସମନ୍ୱୟ ହାସଲ କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ । ଆଲୋଚନାରେ ଆୟୋଗର ଆଇନଗତ ଦଳର ପ୍ରସ୍ତୁତି, ଦକ୍ଷତା ଏବଂ ସମନ୍ୱୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ନିର୍ବାଚନ ଆଇନ, ନ୍ୟାୟିକ କାର୍ଯ୍ୟକ୍ରମ ଏବଂ ଆଇନଗତ ସଂସ୍କାର ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ । ସମ୍ମିଳନୀରେ ଅଣ-ପ୍ରତିଦ୍ୱନ୍ଦ୍ୱୀ ମନୋଭାବ ଏବଂ ପର୍ଯ୍ୟାପ୍ତ ଶୁଣାଣି ପାଇଁ ସୁଯୋଗ ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ସୂଚନା ଯେ, ଶୁକ୍ରବାର ନିର୍ବାଚନ ଆୟୋଗ ନୂଆଦିଲ୍ଲୀର ଆଇଆଇଆଇଡିଇଏମ୍ ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏକ ସମ୍ମିଳନୀ ଆୟୋଜନ କରିଥିଲେ । ଏହି ସମ୍ମିଳନୀର ଉଦେ୍ଦଶ୍ୟ ଥିଲା ନିର୍ବାଚନ ଆୟୋଗର ଆଇଟି ଉଦ୍ୟମଗୁଡ଼ିକ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତି । ୨୦୨୫ରେ ଆୟୋଗ ଏକ ନୂତନ ଉଦ୍ୟମ ଆରମ୍ଭ କରିଛି, ଯାହା ଅନ୍ତର୍ଗତରେ ଇସିଆଇଏନ୍ଇଟି ନାମକ ଏକ ଏକୀକୃତ ଡ୍ୟାସବୋର୍ଡ ଡିଜାଇନ ଏବଂ ବିକାଶ କରାଯାଉଛି ।