ପଛୁଆବର୍ଗଙ୍କୁ ସଂରକ୍ଷଣ ଦାବି

 ଭୁବନେଶ୍ୱର: ଓବିସି ଓ ଏସ୍ଇବିସି ଏବଂ ଏସ୍ସିଏସ୍ଟି ସଂପ୍ରଦାୟଙ୍କ ପ୍ରତି ବ୍ୟବସ୍ଥିତ ସଂରକ୍ଷଣ ଏବଂ ସାମାଜିକ ନ୍ୟାୟ ନୀତିଗୁଡ଼ିକର ତୁରନ୍ତ କାର୍ଯ୍ୟକାରୀ କରାଯାଉ । ମୁଖ୍ୟତଃ ଓବିସି ଓ ଏସ୍ଇବିସି ସଂପ୍ରଦାୟଙ୍କୁ ତାଙ୍କର ନ୍ୟାଯ୍ୟ ସୁଯୋଗରୁ ବଞ୍ଚôତ କରାଯାଉଛି । ବୈଷୟିକ ଶିକ୍ଷାରେ ଏସ୍ସିଏସ୍ଟିମାନଙ୍କୁ ଆଇନ ପ୍ରଦତ୍ତ ସଂରକ୍ଷଣ ଉଲ୍ଲଙ୍ଘନ କରାଯାଉଛି । ଆର୍ଥିକ ସୁଯୋଗ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକରେ ଏସ୍ସିଏସ୍ଟି, ଓବିସି ଏବଂ ମାଇନରିଟିମାନଙ୍କୁ ସୁଯୋଗ ଦେବାରେ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି । ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପଛୁଆ ବର୍ଗ ଜାତିଭିତ୍ତିକ ଜନଗଣନା ଓ ସମସ୍ୟା ସଂପର୍କରେ ଏକ ଆଲୋଚନା ହୋଇଥିବା ବେଳେ ଏହା କହିଛନ୍ତି ଭକ୍ତ । ଆଲୋଚନାରେ ଓଡ଼ିଶାର  ବିଭିନ୍ନ ଜିଲ୍ଲାର ଓବିସି ବର୍ଗର କଂଗ୍ରେସ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ । ଦିନବ୍ୟାପୀ ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ପରେ ଅପରାହ୍ଣରେ ରାଜ୍ୟପାଳଙ୍କୁ ପିସିସି ସଭାପତି ଓ କଂଗ୍ରେସର ବରିଷ୍ଠ ନେତୃବର୍ଗ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ଏ ଅବସରରେ ଭକ୍ତ କହିଥିଲେ ଯେ, ଓଡ଼ିଶାରେ ଓବିସି ଓ ଏସ୍ଇବିସି ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହୋଇଥିଲେ ବି ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ସଂରକ୍ଷଣ ଦିଆଯାଉନାହିଁ । ଏହାକୁ ଭିତ୍ତି କରି ଆଜି ପିସିସି ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନିଯୁକ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଓବିସି ଓ ଏସ୍ଇବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ, ଓବିସି ଓ ଏସ୍ଇବିସି ବର୍ଗ ଯେଉଁ ସୁଯୋଗ ସବୁ ହରାଇଛନ୍ତି ତାହାର ଭରଣା ପାଇଁ ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ ସମେତ ଅନ୍ୟାନ୍ୟ ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଶରତ ରାଉତ, ସୁରେଶ କୁମାର ରାଉତରାୟ, ରମେଶ ଜେନା, ରଞ୍ଜିବ ବିଶ୍ୱାଳ, ବିଜୟଲକ୍ଷ୍ମୀ ସାହୁଙ୍କ ସମେତ ଅନ୍ୟମାନେ ପ୍ରମୁଖ ସାମିଲ ହୋଇଥିଲେ ।