ଆସୁଛି ଶ୍ରାବଣ : ବଜାରରେ ବୋଲବମ ସାମଗ୍ରୀ

 କଟକ : ଆରମ୍ଭ ହେବ ଶ୍ରାବଣ ମାସ । ଶ୍ରାବଣର ପ୍ରଥମ ସୋମବାର ଠାରୁ ଭକ୍ତମାନେ ଜଳଲାଗି କରିବେ । ବିଭିନ୍ନ ଶୈବପୀଠରେ କାଉଡିଆମାନଙ୍କ ଭିଡ଼ ଲାଗିବ । ଶ୍ରାବଣରେ ହେବାକୁ ଥିବା ବୋଲବମ ଯାତ୍ରା ପାଇଁ କାଉଡିଆମାନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ଯାତ୍ରାରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ବର୍ତ୍ତମାନ ସହରର ବିଭିନ୍ନ ଦୋକାନରେ ବିକି୍ର ଆରମ୍ଭ ହୋଇଗଲାଣି । ପୁରୁଷମାନଙ୍କ ପାଇଁ ବଜାରରେ ଗେରୁଆ ରଂଗର କୁର୍ତ୍ତା, ଗଂଜି, ହାପପ୍ୟାଣ୍ଟ, ଗାମୁଛା ଓ ଝୋଲା ବ୍ୟାଗ ବିକି୍ର ହେଉଛି । ସେହିପରି ଝିଅମାନଙ୍କ ପାଇଁ ଗେରୁଆ କୁର୍ତ୍ତି, ଲେଗିନ୍ସ, କେପି୍ର ପ୍ୟାଣ୍ଟ ଆଦି ବଜାରରେ ଉପଲବ୍ଧ ହେଉଛି । ବ୍ୟବସାୟୀମାନେ ଗୁଜୁରାଟ, ରାଜସ୍ଥାନ, ତାମିଲନାଡ଼ୁ ଓ କୋଲକତା ଆଦି ରାଜ୍ୟରୁ ଏସବୁ ସାମଗ୍ରୀ ଆଣି ବିକି୍ର କରୁଛନ୍ତି । ପୁରୁଷମାନଙ୍କର “ଓଁ ନମଃ ଶିବାୟ” ଡ୍ରେସ ଓ “ମହାକାଳ ଗଂଜି” ଅଧିକ ବିକି୍ର ହେଉଛି । କାଉଡିଆମାନେ ଏହାକୁ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ସେହିପରି ମହିଳାମାନଙ୍କ ପାଇଁ ହଳଦିଆ ଓ କମଳା ରଂଗର ସୂତାସାଢ଼ି ମଧ୍ୟ ବିକି୍ର ହେଉଛି । ମହିଳାମାନଙ୍କ ସୂତା ସାଢ଼ିର ଦାମ ୩୦୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ପୁରୁଷମାନଙ୍କର କୁର୍ତ୍ତାର ଦାମ ୧୫୦ରୁ ୩୦୦ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି । ଏହାଛଡ଼ା ହାପପ୍ୟାଣ୍ଟର ମୂଲ୍ୟ ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ବିକି୍ର ହେଉଛି । ବୋଲବମ ପ୍ରିଣ୍ଟ ହୋଇଥିବା ଧଳା, ହଳଦିଆ ଓ ନାଲି ରଂଗର ଗାମୁଛାର ମୂଲ୍ୟ ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ରହିଛି । ଓଁ ନମଃ ଶିବାୟ, ହରହର ମହାଦେବ, ବୋଲବମ, ବୋଲବମ ମହାକାଳ ଆଦି ପି୍ରଣ୍ଟର ଗାମୁଛା ମଧ୍ୟ ବଜାରରେ ଉପଲବ୍ଧ ହେଉଛି । ଏହାର ଦାମ ୫୦ରୁ ୧୦୦ଟଙ୍କା ମଧ୍ୟରେ ରହିଛି । ସେହିପରି ଝୋଲା ବ୍ୟାଗର ଦାମ ୩୦ରୁ ୫୦ଟଙ୍କା ମଧ୍ୟରେ ବିକି୍ର ହେଉଛି । ସେହିପରି ବାହୁରେ ସଜାଇବା ପାଇଁ ପ୍ଲାଷ୍ଟିକ ଶିବଲିଙ୍ଗ, ତି୍ରଶୂଳ, ସାପ, ଘଣ୍ଟି ସହିତ ଶିକା, ଘୁଙ୍ଗୁର ଓ ଢାଳ ମଧ୍ୟ ବଜାରରେ ବିକି୍ର ହେଉଛି । ଚଳିତ ବର୍ଷ ବଜାରରେ ୨ ପ୍ରକାର ଯଥା ବାଉଁଶ ଓ ବେତରେ ନିର୍ମିତ ବାହୁଙ୍ଗୀ ଉପଲବ୍ଧ ହେଉଛି । ବେତ ବାହୁଙ୍ଗୀର ମୂଲ୍ୟ ୪୦୦ରୁ ୫୦୦ଟଙ୍କା ମଧ୍ୟରେ ରହିଛି ।  ଚଳିତ ବର୍ଷ କୋଲକତାର ବେତ ବାହୁଙ୍ଗୀ ମଧ୍ୟ କଟକ ବଜାରରେ ଉପଲବ୍ଧ ହେଉଛି । ଏହି ବାହୁଙ୍ଗୀରେ ବ୍ୟବହୃତ ହେଉଥିବା ତି୍ରଶୂଳ, ସାପ, ଡମ୍ବରୁ ଆଦି ସବୁ ବେତରେ ପ୍ରସ୍ତୁତ ହୋଇଛି । ଏହାକୁ ଅଧିକ ଆକର୍ଷଣୀୟ କରିବା ଲାଗି ଭାରଗୁଡ଼ିକରେ ଘୁଙ୍ଗୁର ଲଗାଯାଇଛି । ଚଳିତ ବର୍ଷ ବୋଲବମ ସାମଗ୍ରୀର ଭଲ ବେପାର ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।