ସମସ୍ୟା ଘେରରେ ଓଏମ୍ପି ଛକ

 କଟକ: କଟକ ସହରରେ ଓଏମପି ଛକ ବେଶ ଗୁରୁତ୍ୱ ବହନ କରିଥାଏ  । ପ୍ରତିଦିନ ଶହଶହ ଯାତ୍ରୀ ଏଠାରୁ ବସ ଯୋଗେ ଯାତାୟତ କରିଥାନ୍ତି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସଷ୍ଟାଣ୍ଡରେ କୌଣସି ପ୍ରକାର ମୌଳିକ ବ୍ୟବସ୍ଥା ଉପଲବ୍ଧ ନାହିଁ । ବସ ଅଟକିବା ଲାଗି ରହଣି ସ୍ଥାନ କିମ୍ବା ଯାତ୍ରୀଙ୍କ ଲାଗି ପ୍ରତିକ୍ଷାଳୟର ବ୍ୟବସ୍ଥା ନାହିଁ । ପ୍ରବଳ ବର୍ଷା, ଶୀତ, କାକର ଓ ଖରାରେ ଯାତ୍ରୀମାନେ ରାସ୍ତା କଡ଼ରେ ବସକୁ ଅପେକ୍ଷା କରି ରହିଥାନ୍ତି । ଏହାଛଡ଼ା ସ୍ୱଚ୍ଛ ପାନୀୟଜଳ କିମ୍ବା ଶୌଚାଳୟର ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ପ୍ରତିଦିନ ଶତାଧିକ ଛାତ୍ରଛାତ୍ରୀ ନିକଟରେ ଥିବା ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଜେକେବିକେ କଲେଜକୁ ପାଠ ପଢ଼ିବାକୁ ଆସିଥାନ୍ତି । ବସ ରହଣି ସ୍ଥଳ ନଥିବାରୁ ବିଦ୍ୟାର୍ଥୀମାନେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତିା ଲାଇନ ବସଗୁଡ଼ିକ ମଧ୍ୟ ଓଏମପି ଛକରେ ଅଟକି ଭୁବନେଶ୍ୱରକୁ ଯାତ୍ରୀ ଉଠାଇଥାନ୍ତି । ବହୁଲୋକ ବିପଦସଂକୁଳ ଭାବେ ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇ ବସକୁ ଅପେକ୍ଷା କରିଥାନ୍ତି । ଏହାଛଡ଼ା କୋଲକତା ଯାଉଥିବା ବସଗୁଡ଼ିକ ଓଏମପି ଛକରୁ ବାହାରିଥାଏ । ରାସ୍ତା କଡ଼ରେ ମଧ୍ୟ ଏହାର ଟିକେଟ କଟାଯାଉଥିବା ଦେଖିବାକୁ ମିଳିଥାଏ । ଏହି ବସଗୁଡ଼ିକ ବସ ଟରମିନାଲକୁ ପ୍ରବେଶ କରିନଥାଏ । ତେଣୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ଏଠାରେ ରାସ୍ତା କଡ଼ରେ ବସକୁ ଅପେକ୍ଷା କରି ରହିଥାନ୍ତି । 
ଓଏମପି ଛକରେ ଜେକେବିକେ କଲେଜ, ଷଷ୍ଠ ବାଟାଲିୟନ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଡିଏଭି ମେଡ଼ିକାଲ ପବ୍ଲିକ ସ୍କୁଲ ଭଳି ବହୁ ପ୍ରତିଷ୍ଠାନ ରହିଛି । ଏହା କଟକ ପାରାଦୀପ ରାଜପଥର ସଂଯୋଗସ୍ଥଳ । ଦୂର ସ୍ଥାନରୁ ଆସୁଥିବା ଅଧିକାଂଶ ବସ ଖାନନଗର ବସ ଟରମିନାଲକୁ ପ୍ରବେଶ ନକରି ଫ୍ଲାଏ ଓଭରବି୍ରଜରେ ଭୁବନେଶ୍ୱର ଚାଲିଯାଇଥାନ୍ତି । ଏହି ଗାଡ଼ିଗୁଡ଼ିକ ଓଏମପି ଛକରୁ ଯାତ୍ରୀ ଉଠାଇଥାନ୍ତି । ବିଭିନ୍ନ ଜିଲ୍ଲାକୁ ଯାଉଥିବା ବସଗୁଡ଼ିକ ମଧ୍ୟ ଏଠାରେ ଅଟକି ଥାଏ । ଏଠାରେ ବସ ରହଣି ସ୍ଥଳ ଏପର୍ଯ୍ୟନ୍ତ ନିର୍ମାଣ କରାଯାଇନାହିଁ । ମନଇଚ୍ଛା ବସଗୁଡ଼ିକ ଜାତୀୟ ରାଜପଥ ପାଶ୍ୱର୍ରେ ଅଟକି ଯାତ୍ରୀ ଉଠାଉଥିବାର ଦୃଶ୍ୟ ପରିଲକ୍ଷିତ ହୋଇଥାଏ । ଏହାଛଡ଼ା ଯାତ୍ରୀ ଅପେକ୍ଷା କରୁଥିବା ଫାଙ୍କା ସ୍ଥାନରେ କିଛି ଉଠାଦୋକାନୀ ପସରା ମେଲାଇ ବସିଥାନ୍ତି । ଫଳରେ ଯାତ୍ରୀମାନେ ଛିଡ଼ା ହୋଇ ବସକୁ ଅପେକ୍ଷା କରିବା କଷ୍ଟକର ହୋଇପଡ଼ିଥାଏ । ଏହାଛଡ଼ା ଦୁର୍ବୁର୍ତ୍ତ ମାନେ ବାଇକରେ ଆସି ରାସ୍ତା କଡ଼ରେ ଗାଡ଼ିକୁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ଠାରୁ ମୋବାଇଲ ଫୋନ ମନିପର୍ସ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଛଡ଼ାଇ ରାଜପଥରେ ଚମ୍ପଟ ମାରୁଥିବାର ବେଳେବେଳେ ଅଭିଯୋଗ ହୋଇଥାଏ । ସେମାନଙ୍କୁ ଧରିବା ପୁଲିସ ପକ୍ଷେ ସହଜ ହୋଇନଥାଏ । ବିଶେଷକରି ମହିଳା ଯାତ୍ରୀମାନେ ସନ୍ଧ୍ୟାପରେ ଏଠାରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଶୌଚାଳୟ ନଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଓଏମପି ଛକ ଯାତ୍ରୀମାନଙ୍କ ନିମନ୍ତେ ବହୁ ଗୁରୁତ୍ୱ ବହନ କରୁଥିବାରୁ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରତିକ୍ଷାଳୟ, ବସ ରହଣି ସ୍ଥଳ ସହ ଆଲୋକୀକରଣ କରିବାକୁ ଦାବି ହେଉଛି । ଯାତ୍ରୀଙ୍କ ମୌଳିକ ଆବଶ୍ୟକତା ସହ ଥଣ୍ଡା ପାନୀୟଜଳ ପ୍ରକଳ୍ପ ସ୍ଥାପନା କରିବା ଏବଂ ଶୌଚାଳୟ ନିର୍ମାଣ କରିବାକୁ ଯାତ୍ରୀମାନଙ୍କ ପକ୍ଷରୁ ଦାବି ହୋଇଛି ।