ପଟିଆରେ ହେବ ରେଳ ଓଭରବ୍ରିଜ
ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର ଉପକଣ୍ଠ କଳାରାହାଙ୍ଗ ଏବଂ ପଟିଆରେ ନିର୍ମାଣ ହେବ ରେଳ ଓଭର ବ୍ରିଜ । ୧୪୦ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବ ବହୁ ପ୍ରତିକ୍ଷୀତ ୨ଟି ରେଳ ଓଭର ବ୍ରିଜ । ଫଳରେ ପଟିଆ-କଳାରାହାଙ୍ଗ ଅଞ୍ଚଳରେ ଗମନାଗମନର ଲାଇଫ୍ ଲାଇନ୍ ପାଲିଟିଥିବା ରାସ୍ତାରେ, ରେଳ ଚଳାଚଳ ସମୟରେ ଫାଟକ ବନ୍ଦ କାରଣରୁ ଦେଖା ଦେଉଥିବା ଟ୍ରାଫିକ୍ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରର ପଟିଆ ଏବଂ କଳାରାହାଙ୍ଗ ରେଳ ଷ୍ଟେସନ ଅଞ୍ଚଳକୁ ଗସ୍ତ କରି ଅଧିକାରୀଙ୍କ ସହିତ ସ୍ଥିତି ସମୀକ୍ଷା କରିଥିଲେ । ପଟିଆ ଓ କଳାରାହାଙ୍ଗ ଅଂଚଳରେ ରେଳ ଓଭର ବ୍ରିଜ ନିର୍ମାଣ ନେଇ ବହୁ ବର୍ଷରୁ ଦାବି କରି ଆସୁଥିଲେ ସ୍ଥାନୀୟ ଲୋକେ । ଲୋକଙ୍କର ଏହି ଦାବିକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୂରା କରିବାକୁ ଯାଇ ରେଳ ଓଭର ବ୍ରିଜ ନିର୍ମାଣରେ ରହିଥିବା ସମସ୍ୟାକୁ ଦୂର କରାଇଛନ୍ତି । କଳାରାହାଙ୍ଗ ରେଳ ଓଭର ବ୍ରିଜ ପାଇଁ ୮୦ କୋଟି ଏବଂ ପଟିଆ ରେଳ ଓଭର ବ୍ରିଜ ପାଇଁ ୬୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏହି ପ୍ରକଳ୍ପ ପାଇଁ ଟେଣ୍ଡର ହେବା ପରେ ଆଗାମୀ କାର୍ଯ୍ୟକ୍ରମ ଆଗେଇବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ।