ପରିଣାମକୁ ନେଇ ପରିଶ୍ରମ
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନରେ ଆମେ ପରିଣାମ ପାଇଁ ଆଶା ରଖୁଛୁ, ସେହି ଅନୁସାରେ କିଭଳି ପରିଶ୍ରମ କରିବାକୁ ହେବ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଯଥା ଇଚ୍ଛନ୍ତି ପରିଣାମଂ, ତଥା ପରିଶ୍ରମଂ କୁର୍ବନ୍ତୁ । ଅର୍ଥାତ୍, ଜୀବନରେ ଯେଉଁ ପ୍ରକାରର ପରିଣାମ ଆପଣଙ୍କୁ ଆବଶ୍ୟକ ସେହି ଅନୁସାରେ ପରିଶ୍ରମ କରନ୍ତୁ । ପରିଶ୍ରମର କୌଣସି ବିକଳ୍ପ ନାହିଁ ।
ମଣିଷ ମନରେ ଅନେକ ପ୍ରକାରର ଆଶା ଥାଏ । ସବୁ ଆଶା ପୂରଣ ହୁଏ ନାହିଁ । ତେବେ ଆଶା ପୂରଣ କରିବା ପାଇଁ ଉଦ୍ୟମ ମଧ୍ୟ ଆବଶ୍ୟକ । ନିଷ୍ଠାପର ଭାବରେ ଉଦ୍ୟମ କରିଲେ ଆଶା ପୂରଣ ହେବାର ସମ୍ଭାବନା ବହୁତ ଅଧିକ ଥାଏ । ଉଦ୍ୟମ ନକରିଲେ କେବେବି ଫଳ ମିଳିବ ନାହିଁ । ହେଲେ ଏହାର ଅର୍ଥ ଏୟା ନୁହେଁ ଯେ ଉଦ୍ୟମ କରି ସବୁତକ ଆଶାକୁ ପୂରଣ କରାଯାଇପାରିବ । ଏଭଳି କିଛି ବିଷୟ ଓ ପ୍ରସଙ୍ଗ ରହିଛି ଯାହାକି ନିଜ ହାତରେ ନଥାଏ , ବରଂ ଏତିକି କହିଲେ ଭଲ ହେବ ଯେ ସେଭଳି ପ୍ରସଙ୍ଗ ଗୁଡ଼ିକ ପରିସ୍ଥିତି ଓ ପରିବେଶ ଉପରେ ନିର୍ଭର କରେ । କେଉଁ ପରିସ୍ଥିତି ଓ ପରିବେଶରେ କଣ ସମ୍ଭବ ତାହା ନିଜକୁ ନିର୍ଦ୍ଧାରଣ କରିବାକୁ ପଡ଼ିବ । ଏତିକି ନିର୍ଦ୍ଧାରଣ କରିନପାରିଲେ ପରିଶ୍ରମ ବୃଥା ଯିବାର ସମ୍ଭାବନା ବି ଅଛି, କିନ୍ତୁ ପରିଶ୍ରମ ଏଭଳି ହେବା ଆବଶ୍ୟକ ଯେଉଁଥିରେ କି ସଫଳତାର ସମ୍ଭାବନା ଅଧିକ ଥିବ । ସଫଳତାର ସମ୍ଭାବନା ନଥିଲେ ସେଭଳି ପରିଶ୍ରମ କରାଯିବା ଉଚିତ୍ ନୁହେଁ ।
ଜଣେ ମନଯୋଗ ଦେଇ ପାଠ ପଢ଼ିଲେ ନିଶ୍ଚିତ ରୂପେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ । ଏଭଳି ଉଦ୍ୟମ କରିଲେ ସଫଳତାର ହାର ଅଧିକ । ମାତ୍ର ଜଣେ ଯଦି ଅସମ୍ଭବ ପ୍ରକାରର ଆଶା ରଖେ ସେସବୁ କେବେବି ପୂରଣ ହୋଇପାରିବ ନାହିଁ । ଯଦି ଜଣେ ଚାହିଁବ ଯେ ପୃଥିବୀର ସର୍ବଶ୍ରେଷ୍ଠ ଧନୀ ହେବାକୁ, ଯେତେ ଉଦ୍ୟମ କଲେ ବି ତାହା ସମ୍ଭବ ନୁହେଁ । କାରଣ ତାହା ଏକ ନିର୍ଦ୍ଦିଷ୍ଟ ପରିବେଶରେ ହିଁ ସମ୍ଭବ ହୋଇଥାଏ । ତେଣୁ ନିଜେ ଏସବୁ ବିଷୟରେ ସତର୍କ ହୋଇ ଏଭଳି ଆଶା ମନରେ ରଖିବା ଉଚିତ୍ ଏବଂ ଉଦ୍ୟମ କରିବା ଉଚିତ୍, ଯାହାକି ସମ୍ଭବ । ହଁ, କେବେ କେବେ ଏହା ବି ଦେଖାଯାଇଛି ଯେ ଅସମ୍ଭବ ଆଶା ରଖି ଲୋକମାନେ ସଫଳ ମଧ୍ୟ ହୋଇଛନ୍ତି । ଶାରୀରିକ ଅକ୍ଷମତା ସତ୍ତ୍ୱେ ଶାରୀରିକ ଶକ୍ତିରେ ଢ଼େର କିଛି ଲୋକ କରିପାରିଛନ୍ତି । ତେବେ ଏସବୁ କେବଳ ବିଶ୍ୱରେ ଗୋଟିଏ ଗୋଟିଏ ଉଦାହରଣ ଭାବରେ ରହିଛି । ଏସବୁକୁ ପ୍ରମାଣ ଭାବରେ ଗ୍ରହଣ କରିଲେ ତାହା ସମ୍ଭବ ହେବ ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।