କାଣ୍ଡଜ୍ଞାନ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା କାଣ୍ଡଜ୍ଞାନକୁ ନେଇ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମଣିଷର ସାଧାରଣ ଜ୍ଞାନ ବା ବ୍ୟବହାରିକ ଜ୍ଞାନକୁ କାଣ୍ଡଜ୍ଞାନ ବୋଲି କୁହାଯାଏ  । ବ୍ୟବହାରିକ ଜ୍ଞାନ ହେଉଛି ସାମାଜିକ ଭାବେ ଚଳିବା ପାଇଁ ଆବଶ୍ୟକ ହେଉଥିବା ଜ୍ଞାନ  । ଏଭଳି ଜ୍ଞାନକୁ ଶିଖେଇବାକୁ ଶିକ୍ଷକ ନାହାନ୍ତି କି ପଢିବା ପାଇଁ କୌଣସି ଅନୁଷ୍ଠାନ ନାହିଁ  । ଏହା ନିଜର ବିଚାରଶକ୍ତି ଉପରେ ନିର୍ଭର କରେ  ।
ଧରିନିଅନ୍ତୁ, ଆମେ କୁଆଡେ ଗୋଟେ ବାହାରିଛେ  । ବାଟରେ ଦେଖିଲେ ପ୍ରବଳ ଜୋରରେ ବର୍ଷା ମାଡି ଆସୁଛି  । ଆକାଶରେ ବାଦଲକୁ ଦେଖି ଆମକୁ ଜାଣି ନେବାକୁ ହେବା ଯେ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଆଶ୍ରୟ ଆବଶ୍ୟକ  । କିନ୍ତୁ ଆଶ୍ରୟ ଆବଶ୍ୟକ ବୋଲି ସବୁବେଳେ ସମସ୍ତଙ୍କୁ କୁହାଯାଏ ନାହିଁ  । ଏହା ଏକ କାଣ୍ଡଜ୍ଞାନର ବିଷୟ  । ଯେଉଁଠି ପରବର୍ତ୍ତୀ ମୁହୂର୍ତ୍ତଟି କଣ ହେବ, ତାହା ଯଦି ଆଖି ଆଗକୁ ଚାଲିଆସେ ସେଇଠି ମଣିଷ ନିଜ ବୁଦ୍ଧିବଳରେ ଏକ ନିରାପଦ ଆଶ୍ରୟ ଖୋଜି ନେବାଟା ଶ୍ରେୟସ୍କର  । କିନ୍ତୁ "ହଁ ବା କଣ ହେଇଯିବ'' ବୋଲି ଭାବୁଥିବା ମଣିଷ, "ଏ ମେଘଫେଗ କିଛି ନାହିଁ-ଏ ମେଘ ବର୍ଷିବନି'' ବୋଲି ଚାଲିଗଲେ ଶେଷକୁ ସେଇ ପ୍ରଚଣ୍ଡ ବର୍ଷାର ମାଡ ଖାଇବାଟା ହିଁ ସାର  ।
ଗାଇକୁ ବାଘ ନେଇଗଲା, ଗାଁ ବାଲା ଧାଇଁ ଆସ ବୋଲି ମିଛ କହି ଗାଁ ବାଲାଙ୍କୁ ବୋକା ବନେଇଛି ବୋଲି ଭାବୁଥିବା ରାଧୁଆ ଯେଉଁ ଦିନ ସତସତିକା ବାଘ ହାବୁଡରେ ପଡିଗଲା, ସେଦିନ ତା' ସତକୁ ଆଉ କେହି ସତ ଭାବରେ ଗ୍ରହଣ କଲେ ନାହିଁ  । ଠିକ୍ ସେମିତି ନିଜକୁ ସର୍ବଜ୍ଞ ବୋଲି ଭାବୁଥିବା ମଣିଷଟି ଯେଉଁଦିନ ପରିସ୍ଥିତିର ଚାପରେ ପଡି ଅସହାୟ ହେଇଯାଏ, ସେଦିନ ଲୋକମାନେ ତା ଅସହାୟତାକୁ ମଧ୍ୟ ଆଉ ବିଶ୍ୱାସ କରନ୍ତି ନାହିଁ  । ବିଶ୍ୱ ବ୍ରହ୍ମାଣ୍ଡ ତୁଳନାରେ କ୍ଷୁଦ୍ରାତିକ୍ଷୁଦ୍ର ମଣିଷ ନିଜର ଅଜ୍ଞାନତା ଉପରେ ଗର୍ବ କରିବା ଅନୁଚିତ୍  । ଅଜ୍ଞାନତା ସହିତ ଗର୍ବ, ମଣିଷ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଦିଏ  । ନିଜର ବୋଧଶକ୍ତି, ମନ ଭିତରେ ବିଚାର ପ୍ରକ୍ରିୟା ଆଦିଗୁଡିକ ମଣିଷକୁ ଠିକଣା ମାର୍ଗରେ ନେଇପାରେ, ଅସାମାଜିକ ବି କରିପାରେ  । ବ୍ୟକ୍ତି ନିଜ ବିଚାରରେ ସବୁବେଳେ ଠିକ୍  । କିନ୍ତୁ ସେହି ବିଚାରଟି ବାସ୍ତବ କି ଅବାସ୍ତବ, ତାହା ତା' ଜୀବନର ସଫଳତା କିମ୍ବା ବିଫଳତା ନିର୍ଭର କରେ  । କଥାଟି ଏତିକିରେ ଶେଷ ହେଲା  ।
ପଢିଥିବା ହେତୁ ଆପଣଙ୍କ ନିକଟରେ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।