ଶିକ୍ଷାନୁଷ୍ଠାନ ଓ ନିଶାମୁକ୍ତି ଅଭିଯାନ
ତମାଖୁ ମୁକ୍ତ କ୍ୟାମ୍ପସ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତମାଖୁ ବର୍ଜନ ଦିବସ ଆସିଲେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ ସ୍କୁଲ, କଲେଜ ପାଖରେ ଖୋଲିଥିବା ସିଗାରେଟ ଗୁଟଖା ଦୋକାନ ବନ୍ଦ ହୋଇପାରୁନି । ଶିକ୍ଷାନୁଷ୍ଠାନର ଶହେ ମିଟର ଦୂରରେ କୌଣସି ନିଶା ସାମଗ୍ରୀ ଦୋକାନ ରହିବ ନାହିଁ ବୋଲି ନିୟମ ରହିଥିଲେ ମଧ୍ୟ ଏହାକୁ କେହି ମାନୁନାହାନ୍ତି । ଏହି ଆଇନ ୨୦୦୩ରୁ ଲାଗୁ କରଯାଇଛି । କିନ୍ତୁ ଏବେ ଶିକ୍ଷାନୁଷ୍ଠାନ ନିକଟରେ ମାଳ ମାଳ ନିଶାଦ୍ରବ୍ୟ ଦୋକାନ ରହିଛି । ଶିକ୍ଷାର୍ଥୀମାନେ ଏଠାରୁ ନିଶା ସେବନ କରୁଛନ୍ତି । ପୋଲିସ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବାବେଳେ ଏହାର ବେଶ ଫାଇଦା ଉଠାଉଛନ୍ତି ବ୍ୟବସାୟୀ । ଦୋକାନୀମାନେ ଖୁଲମଖୋଲା ସବୁଠାରେ ବିକ୍ରି କରୁଛନ୍ତି । ଏପରିକି ଗଞ୍ଜେଇ ଓ ବ୍ରାଉନସୁଗାର ବି ଏସବୁ ଦୋକାନରେ ମିଳୁଥିବା ଜଣାପଡ଼ିଛି । ଖୁସିର କଥା ଯେ ଓଡ଼ିଶା ସରକାର ଗତବର୍ଷ ଅଗଷ୍ଟ ମାସ ଠାରୁ "ହ୍ୱାଇଟ ସ୍ପାଇଡର' (ଧଳା ବୁଢ଼ିଆଣୀ) ନାମରେ ଏକ ବିଶେଷ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି । ଅବକାରୀ ଗୁଇନ୍ଦା ତଥା ସାଧାରଣ ଜନତାଙ୍କ ଠାରୁ ସୂଚନା ଭିତ୍ତିରେ ବହୁ ନିଶା ମାଫିଆ ଧରାପଡ଼ିଲେଣି । ଦିନକୁ ଦିନ ଏହିଭଳି କଡ଼ାକଡ଼ି ତନଖି ଚାଲିଛି ଏବଂ କୋଟି କୋଟି ଟଙ୍କାର ଧଳା ଜହର ବା ହେରୋଇନ ଓ ବ୍ରାଉନ ସୁଗାର ଧରାପଡ଼ିସାରିଲାଣି । ଅବଶ୍ୟ ଏଥିରେ ଆନ୍ତଃରାଜ୍ୟ ମାଫିଆ ଗୋଷ୍ଠୀ ଅନ୍ତର୍ଭୁକ୍ତ ।
ସୂଚନା ଅନୁସାରେ କ୍ୟାମ୍ପସକୁ ଡ୍ରଗ୍ସ, ତମାଖୁ ଓ ମଦ୍ୟପାନମୁକ୍ତ ସୁନିଶ୍ଚିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ନିଦେ୍ର୍ଦଶ ଦିଆଯାଇଛି । ବିଭାଗ ଅଧୀନରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର କୌଣସି ପ୍ରଫେସର, ଅଧ୍ୟାପକ କିମ୍ବା କର୍ମଚାରୀମାନେ ଯଦି ମଦ୍ୟପାନ/ନିଶା ସେବନ କରି କ୍ୟାମ୍ପସକୁ ଆସନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି । ଆଇନ ଅନୁଯାୟୀ କ୍ୟାମ୍ପସ ନିକଟରୁ ତମାଖୁ ଦୋକାନ ହଟାଇବା ଲାଗି ପୁଲିସ ସହାୟତାରେ ଚଢ଼ଉ କରାଯିବାକୁ ନିଷ୍ପତ୍ତି ହୋଇଥିଲା । କୋଟପା ଆଇନ-୨୦୦୩ ଅନୁଯାୟୀ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡ଼ଲାଇନର ସଂଶୋଧନ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସରକାର ନିଦେ୍ର୍ଦଶ ଦେଇଥିଲେ । ଏ କ୍ଷେତ୍ରରେ ଜାତୀୟ ସେବା ଯୋଜନା (ଏନଏସଏସ) ସଦସ୍ୟଙ୍କୁ ଗୁରୁଦାୟିତ୍ୱ ଦିଆଯାଇଥିଲା । ପନ୍ଦର ଦିନ କିମ୍ବା ମାସକୁ ଅତିକମରେ ଥରେ ସଚେତନତା କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା । କେତେକ ଶିକ୍ଷାନୁଷ୍ଠାନରେ କାଁ ଭାଁ ସଚେତନତା କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ନିଶା ରୋକିବା ପାଇଁ କ୍ୟାମ୍ପସ ଗୁଡ଼ିକରେ ଆଖି ଦୃଶିଆ ପଦକ୍ଷେପ ନିଆଯାଉନି । ଯଦି ଆମେ ଆମର ଭବିଷ୍ୟ ପିଢ଼ିକୁ ଏକ ନିଶ୍ଚିତ ମୃତୁ୍ୟଯନ୍ତାରୁ ରକ୍ଷା କରିବାକୁ ଚାହୁଁଥିବା, ତେବେ ଏହି "ଧଳା ବୁଢ଼ିଆଣୀ' ବନାମ "ମାଟିଆ ଚିନି' ଅଭିଯାନରେ ରାଜ୍ୟ ଅବକାରୀ ବିଭାଗ ସହିତ ଖୋଲାଖୋଲି ସହଯୋଗ କରିବା ଅତ୍ୟାବଶ୍ୟକ । ନ ହେଲେ ଧୀରେ ଧୀରେ ଏହି ଧଳା ଓ ମାଟିଆ ଜହର ଅକ୍ଟୋପସର ପଞ୍ଝା ବିସ୍ତାର କରି ଆମ ଯୁବ ସମାଜକୁ କବଳିତ କରିଦେବ । ସଭ୍ୟ ସମାଜରେ ଜନଜାଗୃତି ସବୁପ୍ରକାର ଦୁର୍ନୀତି ଓ ଦୁର୍ଷ୍କମକୁ ବିରୋଧ କରିବା ପାଇଁ ସବୁଠାରୁ ପ୍ରଭାବୀ ଶକ୍ତି ଭାବେ ଯୁଗେ ଯୁଗେ ପରିଚିତ । ଆମେ ଆଜି ସେହି ଶକ୍ତିକୁ ଆହ୍ୱାନ କରୁଛୁ ଯେ ଆମ ରାଜ୍ୟକୁ ଓ ଦେଶକୁ ନିଶା ଅଜଗରର କବଳରୁ ମୁକ୍ତି ଦେବା ପାଇଁ ସମସ୍ତେ ଅଣ୍ଟା ଭିଡ଼ି ଧଳା ବୁଢ଼ିଆଣୀ ବନାମ ମାଟିଆ ଚିନି ଅଭିଯାନର ସ୍ୱଂୟସେବକ ଓ ସୈନିକ ଭାବେ ସମାଜ ରକ୍ଷା ପାଇଁ ଆଗେଇ ଆସନ୍ତୁ । ଓଡ଼ିଶା ଅବକାରୀ ଅଧିନିୟମରେ ମଦ ବ୍ୟବସାୟ ଲାଗି ଯେଉଁ ସ୍ଥାନ ଓ ବ୍ୟକ୍ତିଙ୍କ ଉପରେ କଟକଣା ରହିଛି, ବସ୍ତୁତଃ ସେହି ନିଷିଦ୍ଧାଞ୍ଚଳଗୁଡ଼ିକରେ ସଂଖ୍ୟାଧିକ ନିଶା ଦୋକାନ ଚାଲିଛି । ୨୦୧୩ ଏପ୍ରିଲରେ ରାଜ୍ୟ ସରକାର ଘୋଷଣା କରିଥିବା ରାଜ୍ୟ ଯୁବନୀତିରେ ଯୁବପିଢ଼ି ମଧ୍ୟରେ ନିଶା ଓ ଅନ୍ୟ ମାଦକ ଦ୍ରବ୍ୟ ପ୍ରସାର ନେଇ ଉଦବେଗ ପ୍ରକାଶ କରାଯିବା ସହିତ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି କୁହାଯାଇଥିଲେ ମଧ୍ୟ ନିଶା ନିବାରଣ ପାଇଁ ଆନ୍ତରିକତା ଅଭାବରୁ ଯୁବନୀତିର ଏହି ଆଭିମୁଖ୍ୟ ସଫଳ ହେବା ପରିବର୍ତ୍ତେ ବିଫଳ ହେଉଛି । ତେଣୁ ଯଦି ସରକାର ପକ୍ଷରୁ ଏସବୁ ନିୟମକୁ କଡ଼ାକଡ଼ି ପାଳନ କରାଯିବା ସହିତ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତେବେ ଯାଇ କ୍ୟାମ୍ପସ ନିଶାମୁକ୍ତ ହୋଇପାରିବ ।
ପୁଷ୍ପମିତ୍ର ମହାପାତ୍ର